ସାକ୍ଷୀଗୋପିନାଥଙ୍କ ପାଖରେ ଦିନକ ପାଇଁ ଚାଉଳ ଭୋଗ ବାସ୍ନାରେ କମ୍ପିଲା ମନ୍ଦିର ଚତୁପାଶ୍ୱ
ସାକ୍ଷୀଗୋପାଳ--- ଓଡିଆ ଘରର ବୋହୁ ବାପ ଘରକୁ ପୁଷ ମାସରେ ଯାଇଥାଏ । ବାପ ଘରୁ ଆସିଲା ବେଳେ ନିଶ୍ଚୟ ବୋହୁ ସାଙ୍ଗରେ ଭାର ଆଣିବାର ପରମ୍ପରା ରହିଛି । ପୁରାଣ ଶାସ୍ତ ମତ ଅନୁସାରେ ପୁଷମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି । ମାସାନ୍ତ ଦିନ ମହାଲକ୍ଷ୍ମୀ ବାପ ଘରୁ ମନ୍ଦିରକୁ ଫେରନ୍ତି । ସାଙ୍ଗରେ ନାନା ଭାର ଆଣିଥାନ୍ତି । ସେହି ଭାରରେ ନୂଆ ଅରୁଆଚାଉଳ,ପାଚିଲା କଦଳୀ,ଶାକର, ନବାତ, ଛେନା ଘିଅ, ମହୁ , ନଡିଆ,ଫଳମୁଳ, ଧନୁମୁଆଁ , ଠାକୁରଙ୍କ ପାଇଁ ନୂତନ ବସ୍ତ୍ର , ତୁଳସି ଓ ଫୁଲମାଳ ଆଣିଥାନ୍ତି । ସାକ୍ଷୀଗୋପାଳ ମନ୍ଦିରରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ବର୍ଷସାରା ଗହମ ଓ ଖଇ, ଛେନା, କ୍ଷୀର, ଲବଣି ଶୁଖିଲା ଭୋଗ ପ୍ରଦାନ କରାଯାଇଥାଏ । ମାତ୍ର ବର୍ଷକୁ ଥରେଏହି ମକର ସଂକ୍ରାନ୍ତିରେ ଚାଉଳ ଭୋଗ ଲାଗି କରାଯିବାର ପରମ୍ପରା ରହି ଆସିଛି । ମନ୍ଦିରରେ ଦ୍ୱିପହର ଧୂପରେ ମନ୍ଦିର ବେଡାରେ ମକର, ଶାକର, ଦଧି ଓ ରୂପାପାତ୍ରରେ ନଳିପାନ ଏପରି ଭିନ୍ନ ଭିନ୍ନ ଚାରିବେଡା ଅନୁଷ୍ଠିତ ହୋଇଥିଲା । ପୂଜାପଣ୍ଡା ଓ ପାଳିଆପତି ସେବକ ବଳି ଆଟିକାରେ ମକର ଚାଉଳ ନେଇ ନବାଙ୍କ ସ୍ଥାନରେ ପ୍ରଦାନ କରିଥିଲେ । ମକର ବେଡା ଅନ୍ତେ ଅପରାହ୍ନରେ ଠାକୁରଙ୍କୁ ମକର ଚାଉଳ ଭୋଗ ନୈବେଦ୍ୟ କରାଯାଇଥିଲା । ବର୍ଷକୁ କିଛି ସମୟ ପାଇଁ ଠାକୁରଙ୍କୁ ଚାଉଳ ଭୋଗ ଦେବା ସୁଯୋଗ ମିଳୁଥିବାରୁ ଆଖପାଖ ପଞ୍ଚୁକୋଷି ଅଞ୍ଚଳର ଭକ୍ତ ମାନଙ୍କର ଭିଡ ଏଠାରେ ପରିଲିକ୍ଷିତ ହୋଇଥିଲା । ନୁଆହାଣ୍ଡିରେ ନୁଆ ଅରୁଆଚାଉଳ, ଧନୁମୁଆଁ, ନଡିଆ, ପାଚିଲା କଦଳୀ, କ୍ଷୀର, ଛେନା, ସର, ଲବଣୀ, ଭଲଘିଅ, ଚିନି, ଗୁଡ, ଅଦା, କାହୁ, ଖସିମିଶି , କର୍ପୁର, ଖଟାକମଳା, ଅଳେଇଚ, ଗୋଲମରିଚ ଓ ବିଭିନ୍ନ ଫଳମୂଳ ଆଦି ମିଶ୍ରଣରେ ପ୍ରସ୍ତୁତି ମକର ଚାଉଳ ଭୋଗ କରାଯାଇଥାଏ । ମକରଚାଉଳ ପ୍ରସ୍ତୁତି ସାମଗ୍ରୀ ବିକୟ କରିବା ପାଇଁ ମନ୍ଦିର ସମ୍ମୁଖରେ ବ୍ୟବସାୟୀ ମାନେ ପସାର ଖୋଲିଥିଲେ । ମକର ଭୋଗ ପାଇବା ପାଇଁ ଭକ୍ତ ମାନଙ୍କର ଆଗ୍ରହ ରହିଥିବାରୁ ଭୋଗ ପ୍ରସ୍ତୁତି କରିପାରୁନଥିବା ଭକ୍ତ ମାନେ ପ୍ରସାଦ ପାଇବା ପାଇଁ ସେବାୟତ ମାନଙ୍କଠାରୁ ମକର ଚାଉଳ ସଂଗ୍ରହ କରିଥାନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , 14/1/2021----- 7,00