ଜଟଣୀ ବ୍ଲକରେ ଦିନକୁ ଦିନ କର୍ମଚାରୀ ମରୁଡି
ଜଟଣୀ ----- ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ଦିନକୁ ଦିନ କର୍ମଚାରୀ ମରୁଡି ହୋଇଥିବା ଦେଖାଦେଉଛି । ଫଳରେ ଜଟଣୀ ବାସିଙ୍କ କାର୍ଯ୍ୟରେ ଅବହେଳା ହେଉଛି । ଯେଉଁ ଲୋକ କାମରେ ଯାଉଛନ୍ତି ସେମାନଙ୍କର କୌଣସି କାମ ହୋଇପାରୁନାହିଁ ବୋଲି କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି । ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପାଇଁ । ବିଭିନ୍ନ କଟକଣା ଜାରିରହିଛି । ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟରେ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ରହିଥିବା ବେଳେ ଜରୁରୀ କାର୍ଯ୍ୟ ନଥିଲେ କୌଣସି କାର୍ଯ୍ୟାଳୟକୁ ଆସନ୍ତୁ ନାହିଁ ବୋଲି କୁହାଯାଇଛି । କିନ୍ତୁ ଏହି ସମୟରେ ଜଟଣୀ ବ୍ଳକରେ କେତେକ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ବ୍ଲକ କାର୍ଯ୍ୟାଳୟର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏପରିକି ଜଣେ ଜଣେ କର୍ମଚାରୀଙ୍କୁ ଦୁଇଦୁଇଟି ସ୍ଥାନ ସମ୍ଭାଳିବାକୁ ପଡ଼ୁଛି । ଅନ୍ୟ ପକ୍ଷରେ ଦେଖୁବାକୁ ଗଲେ ଜଟଣୀ ବ୍ଲକରେ ପୋଷ୍ଟିଙ୍ଗ ହୋଇଥିବା କର୍ମଚାରୀ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟକରି ବ୍ଲକରୁ ଦରମା ନେଉଛନ୍ତି । ଏକ ବିଶେଷ ସୂତ୍ରରୁ ଜଣାପଡ଼ିଥିବା ଖବର ଅନୁଯାୟୀ ଏହି ବ୍ଲକରେ ଥିବା କୋପରେଟିଭ ଏକ୍ସଟେନସନ ଅଫିସର(ସି.ଇ.ଓ.) ରାମାନାରାୟଣ ମଲ୍ଲିକ ଚଳିତବର୍ଷ ଜାନୁଆରୀ ମାସରୁ ବଦଳି ହୋଇଥିଲେ ମଧ୍ୟ ଏହି ପଦବି ଆଜି ପର୍ଯ୍ୟନ୍ତ ଖାଲି ପଡିଛି । ସେହିପରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ(ବିଏସ୍ଏ) ଦାୟିତ୍ବରେ ଥିବା ବିଜୟ କର ୨୦ ଫେବୃୟାରୀ ୨୦ ତାରିଖରୁ କାର୍ଯ୍ୟରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ସ୍ଥାନଟି ଖାଲିପଡ଼ିଛି । ଏହି ବ୍ଲକରେ ଖାଲିଥିବା ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ(ଜିପିଇଓ) ଅପରାଜିତା ସାଇଁ, ଏବିଡ଼ିଓ ଭାବରେ ପଦୋନ୍ନତି ପାଇଥିବାରୁ ଜିପିଓ ସ୍ଥାନଟି ମଧ୍ୟ ଖାଲି ପଡ଼ିଛି । ବ୍ଲକ ପ୍ରଗତି ସହାୟକ ( ବିପିଏ) ଦାୟିତ୍ବରେ ଥିବା କେଳୁଚରଣ ସେଠି ବେଗୁନିଆ ବ୍ଲକକୁ ବଦଳି ହୋଇଛନ୍ତି । କ୍ୟାସିୟର କୃଷ୍ଣଚନ୍ଦ୍ର ସେଠି ଏହି ବ୍ଲକରୁ ବଦଳି ହୋଇ ଖୋର୍ଦ୍ଧା ତହସିଲରେ ଯୋଗ ଦେଇଛନ୍ତି । ମାତ୍ର ଏହି ସବୁ ପଦବି ଖାଲି ପଡିବାରୁ ଲୋକମାନଙ୍କର କାର୍ଯ୍ୟରେ ଅବହେଳା ହେଉଛି । ସେହିପରି ଉକ୍ତ ବ୍ଲକରେ ଆସିଷ୍ପଟ ଏକ୍ୟୁଟିଭ ଇଞ୍ଜିନିୟର ଦାୟିତ୍ବ ତୁଲାଉଥିବା ବିନୋଦ ମହାପାତ୍ର ମଧ୍ୟ ଏଠାରୁ ବଦଳି ହୋଇ ଯାଇଥିଲେ ମଧ୍ୟ ଏମାନଙ୍କ ସ୍ଥାନରେ କୌଣସି ଜଣେ ହେଲେ କର୍ମଚାରୀ ଯୋଗ
ଦେଇନାହାଁନ୍ତି । ଏଥି ମଧ୍ୟରୁ ଜଣେ କିରାଣୀଙ୍କ ବଦଳି ହେବାପରେ ଅନ୍ୟ ଜଣେ କର୍ମଚାରୀ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରି ବ୍ଳକରୁ ଦରମା ପାଉଛନ୍ତି । ଜିଲ୍ଲା କାର୍ଯ୍ୟାଳୟରେ ବହୁ ସଂଖ୍ୟକ କର୍ମଚାରୀ ଥିବା ବେଳେ ଜଟଣୀ ବ୍ଲକରୁ କର୍ମଚାରୀ ଯାଇ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟ ତୁଲାଉଥିବା ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି ।
ଜଟଣୀରୁ -ରଙ୍ଗନାଥ ବେହେରା