ଗହ୍ମାପୂର୍ଣ୍ଣମୀ ରହିଲା ସାତ ଦିନ; ବିଲ ଫାଟିକି ଆଁ ; ବର୍ଷା ର ଦେଖା ନାହିଁ , ଚାଷୀ ଏବେ ଚିନ୍ତାରେ
ସାକ୍ଷୀଗୋପାଳ ------- ଗହ୍ମାପୂର୍ଣ୍ଣମୀ ରହିଲା ସାତ ଦିନ । ଶ୍ରାବଣ ମାସ ଶେଷ ହେଲା ଚାଷୀ ବିଲକୁ ହଳ ନେଲାଣି । ଚାଷୀ ଏବେ ଚିନ୍ତାରେ ପଡିଛି । ବିଲରେ ପାଣି ନ ଥିବାରୁ ବିଲ ଫାଟିକି ଆଁ କରିଛି । ଆକଶରେ କଳା ବାଦଲର ଦେଖା ନାହିଁ କି କେନାଲରେ ପାଣି ବି ନାହିଁ । ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକରେ ଏବର୍ଷ ଖରିଫ ଚାଷ ହେବକି ନାହିଁ ଚାଷୀ ସନ୍ଦେହରେ । ଏକରକମ ମରୁଡି ଅବସ୍ଥାକୁ ଆସିଗଲାଣି । ରାଜ୍ୟରେ କରୋନା ଚାଷୀ ମାନଙ୍କ ଉପରେ ଏକ ରକମ ଦାଉ ସାଜିଥିବା ବେଳେ ମୌସୁମୀ ମଧ୍ୟ ଚାଷୀଙ୍କ ଉପରେ ଦାଉ ସାଜିଛି । ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ଜିଲ୍ଲାରେ ଏ ବର୍ଷ ୭୦ % ବର୍ଷା କମ ହୋଇଥିବା କୃଷି ବିଭାଗ ଅଧିକାରୀ କହନ୍ତି । ଏ ସମ୍ପର୍କରେ କାହାରି ନଜର ନାହିଁ । ନାହିଁ ଜଳ ସମ୍ପଦ ଓ କୃଷି ବିଭାଗ ଅଧିକାରୀଙ୍କର ପାଣି ପାଇଁ କାହାରି ଚିନ୍ତା ନାହିଁ ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଅକ୍ଷିତୃତୀୟାରେ ଚାଷୀ ଧାନ ମୁଠି ଅନୁକୂଳ କରିଥାଏ । କିନ୍ତୁ ରଜ ସଂକ୍ରାନ୍ତି ପରେ ପରେ ଚାଷୀ ମାନେ ବିଲରେ ଧାନ ବୁଣା କାମ ସାରିଛନ୍ତି । ସେହିପରି ବିଲରେ ଚାଷୀ ମାନେ ତଳି ପକାଇଛନ୍ତି । ପାଣି ଅଭାବରୁ ଧାନ ତଳି ଏବେ ମରିବାକୁ ବସିଲାଣି । ଗଡିଆ, ଚୁଆ, ନୟନଜୋରୀ ରେ ଥିବା ଅଳ୍ପ ପାଣିକୁ ଚାଷୀ ମାନେ ତଳିକୁ ପାଣି ବୋହି ଶୁଖାଇ ସାରିଲେଣି । ତଥାପି ଧାନ ତଳି ବଞ୍ଚାଇ ରଖିବା ବହୁ କଷ୍ଟକର ହୋଇ ପଡିଛି । ପାଣି ଅଭାବରୁ ଧାନ ତଳି ପାଚିଗଲାଣି । ସାକ୍ଷୀଗୋପାଳ ବାଞ୍ଚ କେନାଲରେ ଅଳ୍ପ ପାଣି ଆସିଥିବା ବେଳେ କେନାଲରେ ଏ ପର୍ଯ୍ୟନ୍ତ ପାଣି ଆସି ନାହିଁ ବୋଲି ଜଣାପଡିଛି । ଜୁଲାଇ ୨୦ ତାରିଖ ସୁଦ୍ଧା ସମସ୍ତ କେନାଲରେ ପାଣି ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ । ସତ୍ୟବାଦୀ ବ୍ଳକରେ ଚଳିତ ବର୍ଷ ୧୪.୭୦୦ ହେକ୍ଟର ଧାନ ଜମିରେ ଚାଷ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୁଚନା ମିଳିଛି । ପେଣ୍ଠପଡା, ଜୟପୁର, ଶ୍ରିରାମଚନ୍ଦ୍ରପୁର, ଅଳଗୁମ, ଶୁକଳ, କାଦୁଆ, ବଳପୁର, ବଳରାମପୁରଗଡ, କେତକିପାଟଣା, ରାୟଖଣ୍ଡି, ବିଦ୍ୟାଧରପୁର, ମହୁରା, ଦୁଗଲ ପରଜାପଡା ଆଦି ଗ୍ରାମ ପଞ୍ଚାୟତରେ ହଜାର ହଜାର ଏକର ଧାନ ଜମି ଶୁଖି ମାଟି ଫାଟି ଆଁ କରି ଗଲାଣି । ଯଦି ଦୁଇ ରୁ ତିନି ଦିନ ମଧ୍ୟରେ ଲଗାଣ ବର୍ଷା ସହିତ କେନାଲରେ ପାଣି ନ ଆସିଲେ ତା ହେଲେ ଚଳିତ ବର୍ଷର ଖରିଫ ଧାନ ଫସଲ ଉଜୁଡି ଯିବ ବୋଲି ଚାଷୀ ପୂର୍ଣ୍ଣଚନ୍ଦ୍ର ବେହେରା, ରାମଚନ୍ଦ୍ର ଜେନା, ଅନାମ ସ୍ୱାଇଁ, ରାମଚନ୍ଦ୍ର ପ୍ରଧାନ, ଅଭିଜିତି ସେନାପତି କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି