କଣ୍ଟେନମେଣ୍ଟଜୋନ ଘୋଷଣା କରି ଘୋର ନିଦ୍ରାରେ ପ୍ରଶାସନ :ସାଧାରଣ ଲୋକେ ହନ୍ତସନ୍ତ
ଓଡ଼ଗାଁ/କୁରାଳ- ଓଡ଼ଗାଁ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ଓଡ଼ଗାଁ ବ୍ଲକର ୫ପଞ୍ଚାୟତର ୨୦ଗ୍ରାମ କଣ୍ଟେନମେଣ୍ଟ ଏବଂ ୧୫ଗ୍ରାମକୁ ବଫର ଜୋନ କରାଯାଇଛି । କିନ୍ତୁ ଲାଗୁହୋଇଥିବା କରୋନା କଟକଣା କେବଳ କାଗଜପତ୍ରରେ ତଥା ନାମକୁ ମାତ୍ର ସୀମିତ ରହିଯାଇଅଛି।ଯାହା ଫଳରେ ଏହାର ପ୍ରଭାବ କେବଳ ସାଧାରଣ ଲୋକେ ତଥା ଗରିବ ,ଖଟିଖିଆ ମୂଲିଆ ଶ୍ରେଣୀର ଲୋକମାନେ ପ୍ରଭାବିତ ହେଉଛନ୍ତି ।
ଵିଶେଷ କରି କାମଧନ୍ଦା ହରାଇ ଘରେ ବିଭିନ୍ନ ମାନସିକ ଦୁଃଚିନ୍ତାରେ କାଳାତିପାତ କରୁଛନ୍ତି ଲୋକମାନେ ।କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିଲେ ସୁଦ୍ଧା ଗାଡି ଚଳାଚଳ ତଥା ସାଧାରଣ ଲୋକଙ୍କର ବିଚରଣ ସ୍ୱାଭାବିକ ଜଣାପଡୁଛି।ଦିନ ଦ୍ବିପ୍ରହରରେ ପଥର ମାଫିଆ ମାନେ ପ୍ରଶାସନର ଙ୍ଗାତ ସାରରେ ପଥର କାଟୁଛନ୍ତି ।ବିଭିନ୍ନ ଦୋକାନ ବଜାର ବନ୍ଦ ହୋଇଥିବାରୁ ବିଭିନ୍ନ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ କଳାବଜାରୀ ଆରମ୍ଭ କରିଦେଲେଣି ।ଯାହା ଫଳରେ ସାଧାରଣ ଲୋକଟିଏ ପକ୍ଷରେ ଚଳିବା କଷ୍ଟକର ହୋଇପଡୁଛି ।ଗଞ୍ଜାମ ସୀମାନ୍ତ ବର୍ତ୍ତି ଅଞ୍ଚଳକୁ ସମ୍ପୂର୍ଣ୍ଣରୂପେ ସିଲ କରାଯାଇଥିଲେ ସୁଦ୍ଧା ବିଭିନ୍ନ ଗଳାବାଟ ଦେଇ ଅମାନିଆମାନେ ଯିବା ଆସିବା କରୁଛନ୍ତି ।କିଛି କିଛି ଗ୍ରାମରେ ଲୋକେ ଏକାଠି ବସି ତାସ ଖେଳୁଥିବାର ନଜିର ମଧ୍ୟ ଦେଖିବାକୁ ମିଳିଅଛି।କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି ସତ କିନ୍ତୁ କାର୍ଯ୍ୟକାରୀ ସମ୍ପୂର୍ଣ୍ଣ ଠପ।
କଣ୍ଟେନମେଣ୍ଟ ଜୋନ ଘୋଷଣାର ୨୪ଦିନ ଅତିକ୍ରମ ହୋଇଯାଇଥିବା ହେତୁ ଲୋକେ ଘରେ ବସି ବିରକ୍ତି ଅନୁଭବ କଲେଣି ।ଜୀବନଧାରଣ ନିମନ୍ତେ ପଇସା ପତ୍ରର ଘୋର ଅଭାବ ହେତୁ ଜୀବନ ଦୁର୍ବିସହ ହୋଇପଡିଛି ।ଆଉ କେତେ ଦିନ ଏଭଳି ଚାଲିବ ବୋଲି ଲୋକେ କାଉଣ୍ଟଡାଉନ ଆରମ୍ଭ କଲେଣି ।ଗଞ୍ଜାମ ଜିଲ୍ଲାକୁ ହଟସ୍ପଟ ଅଞ୍ଚଳ ଘୋଷଣା ହୋଇଥିବା ହେତୁ ହଟସ୍ପଟ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖିବାକୁ ନିୟମ ଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉନାହିଁ ।ଲୋକେ ନିଜେ ଘରେ ଗୃହବନ୍ଦୀ ଭାବେ ରହିବାକୁ କହୁଥିଲେ ସୁଦ୍ଧା ଖୋଲା ବଜାରରେ ଚଲାବୁଲା କରୁଛନ୍ତି ।
ଓଡ଼ଗାଁ ଏନ.ଏସି କଣ୍ଟେନମେଣ୍ଟ ମୁକ୍ତ ଅଞ୍ଚଳ ଘୋଷଣା ହୋଇଯିବା ଫଳରେ ଦୋକାନ ବଜାର ଖୋଲା ରହୁଥିବାରୁ ପ୍ରାୟତଃ ଲୋକଙ୍କ ସମାଗମ ସେଠାରେ ଦେଖିବାକୁ ମିଳୁଅଛି ।ଆଜି ଓଡ଼ଗାଁବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମବାସୀ ତଥା ସରପଞ୍ଚ ଝିଲିପ୍ରଧାନ କଣ୍ଟେନମେଣ୍ଟ କଟକଣାକୁ ପ୍ରତ୍ୟାହାର କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ