ଲଘୁଚାପ ଜନିତ ବର୍ଷାରେ କୋଣାର୍କ ବୁଡିଲା
କୋଣାର୍କ--- ବାରମ୍ବାର ଅଭିଯୋଗ ସତ୍ତେ୍ୱ ପ୍ରଶାସନର ଅବହେଳା ଯୋଗୁ ଆଜି ବିଶ୍ୱ ପ୍ରସିର୍ଦ୍ଦ କୋଣାର୍କ ପର୍ଯ୍ୟଟନ ଅବସ୍ଥା ଏପରି ହୋଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହନ୍ତି । ପାଣି ନିଷ୍କାସନ ପାଇଁ ଯେଉଁ ଡ୍ରେନେଜ ରହିଛି ତାହା ଦୀର୍ଘ ଦିନ ଧରି ସଫା ସୁତରା କରାଯାଉନାହିଁ । ଯାହାର ପରିଣାମ ଆଜି ଭୋଗିବାକୁ ପଡିଛି । ଲଘୁଚାପ ଜନିତ ବର୍ଷାରେ କୋଣାର୍କ ଏବେ ଜଳମଗ୍ନ ହୋଇପଡିଛି । କୋଣାର୍କ ବଜାରର ମୁଖ୍ୟ ରାସ୍ତା ସମେତ ସମସ୍ତ ଅଫିସବାଡି, ଶିକ୍ଷାନୁଷ୍ଠାନ ସାହି ଓ ବସ୍ତି ପରିସରରେ ବର୍ଷାପାଣି ଲହଡି ମାରୁଛି । କୋଣାର୍କ ବଜାରର ଚତୁଃପାଶ୍ୱର୍ରେ ଥିବା ପାଞ୍ଚ କିଲୋମିଟରବ୍ୟାପି ଡ୍ରେନରେ ଆବର୍ଜନା ପରିପୂର୍ଣ୍ଣ ହୋଇ ରହିଥିବାରୁ ଡ୍ରେନଦେଇ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ । ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଡାକବଙ୍ଗଳା ପର୍ଯ୍ୟନ୍ତ ପୂର୍ତ୍ତ ରାସ୍ତା ଉପରେ ଏକଫୁଟ ଉଚ୍ଚରେ ବର୍ଷାଜଳ ବୁଡିରହି ଥିବାରୁ ପର୍ଯ୍ୟଟକମାନଙ୍କ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । କୋଣାର୍କ କୋର୍ଟ ପରିସରରେ ବର୍ଷାପାଣି ଜମିରହିଛି । ବସଷ୍ଟାଣ୍ଡ ସଂଲଗ୍ନ ପିକେଡିଏ ମାର୍କେଟ୍ କମ୍ପ୍ଲକ୍ସର ଦୋକାନ ଘରଗୁଡିକ ଭିତରେ ପାଣିପଶି ନାହିଁ ନଥିବା କ୍ଷତି କରିଛି । ବ୍ୟବସାୟୀମାନେ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ବନବିଭାଗ କାର୍ଯ୍ୟାଳୟ ପରିସର, ଆଶ୍ରମ ସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ହାଇସ୍କୁଲ, ଜବାହାର ନବୋଦୟ ବିଦ୍ୟାଳୟ ଓ କୋଣାର୍କ ଥାନା ସମେତ ସମସ୍ତ ଅନୁଷ୍ଠାନ ପରିସରରେ ବର୍ଷାପାଣି ଜମିରହିଛି । ଡ୍ରେନଗୁଡିକରେ ଥିବା ଆବର୍ଜନା ରାସ୍ତା ଉପରକୁ ମାଡିଆସି ଚାରିଆଡେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଚଳିତ ବର୍ଷାଋତୁରେ ବାରମ୍ବାର ଡ୍ରେନରୁ ଆବର୍ଜନା ଉଛୁଳିପଡି ରାସ୍ତାଘାଟ ଆବର୍ଜନାମୟ ହୋଇପଡୁଥିଲେ ବି ଏନ୍ଏସି କର୍ତ୍ତୃପକ୍ଷ ଡ୍ରେନରୁ ମଇଳା ସଫାଦିଗରେ ତିଳେମାତ୍ର ଧ୍ୟାନ ନଦେବା ଜନ ଅସନ୍ତୋଷର କାରଣ ହୋଇଛି । ଡ୍ରେନକୁ ମାଡିଯାଇ ଶତାଧିକ ବ୍ୟବସାୟୀ ସ୍ଥାୟୀ ନିର୍ମାଣ କରିଥିଲେ ମଧ୍ୟ ସେମାନଙ୍କୁ ଉଚ୍ଛେଦ କରିବା ଦିଗରେ ପ୍ରଶାସନିକ ତତ୍ପରତା ପ୍ରକାଶ କରୁନାହିଁ ।
କୋଣାର୍କରୁ ଅଜିତ କୁମାର ମଲିକ