 |
konark News |
କୋଣାର୍କ ------- ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଆଜି ନିଶା ଦ୍ରବ୍ୟ କବାଜରେ ରହିଛି । ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ପର୍ଯ୍ୟଟନ କ୍ଷେତ୍ରକୁ ଭ୍ରମଣ କରିବାକୁ ଆସୁଥିବାବେଳେ, ଖୋଲା ବଜାରରେ ଖୁଲମ ଖୁଲା ନିଶା ବିକ୍ରୀ ହେଉଥିବା ଦେଖି ଉଦେବେଗ ପ୍ରକାଶ କରିଛନ୍ତି । ସରକାରୀ ନିତି ନିୟମ ନମାନି ସର୍ବସାଧାରଣରେ ଏହାର ସେବନ ଓ ବିକ୍ରୀ ଉପରେ ଆଇନ ଥିଲେ ମଧ୍ୟ କେହି ନିତି ନିୟମକୁ ମାନୁ ନାହାନ୍ତି । ଖୁଲମ ଖୁଲା କୋଣାର୍କ ବଜାରର ଟୁରିଷ୍ଟି ମାର୍କେଟ, ବସ୍ ଷ୍ଟାଣ୍ଡ, ଥାନାଛକ, ମେଡିକାଲ ଛକ ସମେତ ନିକଟସ୍ଥ ଗ୍ରାମରେ ଥିବା ପାନ ଦୋକାନ, ଜଳଖିଆ ଦୋକାନ, ଗ୍ରୋସରୀ ଦୋକାନ ଓ ହୋଟେଲ ମାନଙ୍କରେ ଅବାଧରେ ନିଶା ଦ୍ରବ୍ୟ ବିକ୍ରୀ ହେଉଛି । ଫଳରେ ହାତପାହାନ୍ତାରେ ନିଶା ଦ୍ରବ୍ୟ ମିଳି ଯାଉଥିବାରୁ ଯୁବ ଗୋଷ୍ଠୀଙ୍କ ସମେତ ସବୁ ବର୍ଗର ବ୍ୟକ୍ତି ବିଭିନ୍ନ ଆଳରେ ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି । ଏହି ଯୁବ ଗୋଷ୍ଠୀ ଏହାକୁ ଛାଡ଼ିପାରୁ ନାହାନ୍ତି । ନିଶାଡିଆ ମାନେ ଟିକେ ନିଶା ପାଇଁ ପାଗଳଙ୍କ ଭଳି ଘୁରି ବୁଲୁଛନ୍ତି ଦୋକାନ ମାନଙ୍କରେ । ନିଶା ଶକ୍ତ ଅବସ୍ଥାରେ ଏହି ନିଶାଡିମାନେ ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଝିଅ ବୋହୁଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ସହ ଗଣ୍ଡଗୋଳ କରିବା ସହ ଗାଡି ଚଳାଇ ଦୁର୍ଘଟଣା ମାନ ଘଟି ଧନଜୀବନ ଯାଉଥିବା ନଜିର ରହିଛି । କୋଣାର୍କ ଭଳି ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ରରେ ନିଶାଡିମାନଙ୍କ ଉତ୍ପାତ ଯୋଗୁଁ ପର୍ଯ୍ୟଟକ ନିଜକୁ ଅସୁରକ୍ଷିତ ମନେକରୁ ଥିବା ବେଳେ ଦ୍ୱିତୀୟ ଥର ଆସିବାକୁ ନାରାଜ ହେଉଛନ୍ତି । ପୁଲିସ ପକ୍ଷରୁ ନିଶାଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଓ ଦିନ ଓ ରାତ୍ର କାଳିନ ପୋଲିସ ପକ୍ଷରୁ ପ୍ୟାଟ୍ରୋଲିଂ ନ ହେବାରୁ ନିଶାଡିଆ ମାନେ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରଣୀ, ସମୁଦ୍ରକୂଳ, ହେଲିପ୍ୟାଡ, ଭଗବତୀ ରୋଡ, କଲେଜ ପଡିଆ ସମେତ ଏଠାରେଥିବା କେତେକ ହୋଟେଲରେ ବସି ଖୁଲମଖୁଲା ମଦ୍ୟ ପାନ କରୁଥିବା ବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏଥିସହ ନିଶାଡିମାନେ ବିଭିନ୍ନ ପ୍ରକାର ଅପରାଧ ମୁଳକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ମଦ୍ୟପଙ୍କ ଦୌରାତ୍ମ୍ୟରେ ଚୋରୀ, ରାହାଜାନୀ ଏବେ ନିତି ଦିନିଆ ଘଟଣାରେ ପରିଣତ ହୋଇଛି । କୋଣାର୍କ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ଚୋରାରେ ମଦ, ଗଞ୍ଜେଇ, ଅଫିମ, ଚରସ, ବ୍ରାଉନସୁଗାର କାରବାର ଅବାଧରେ ଚାଲିଥିବା ବେଳେ ବିଭିନ୍ନ ଲଜମାନଙ୍କରେ ଅନୈତିକ କାର୍ଯ୍ୟକଳାପ ହେଉଥିବା ସାଧାରଣରେ ଅଭିଯୋଗ ମାନ ହେଉଛି । ପୁଲିସ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିଙ୍କ ଦୌରାତମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି । ଚୋରାରେ ନିଶା ଦ୍ରବ୍ୟ ବିକ୍ରୟ କରୁଥିବା ବେପାରିମାନଙ୍କ ବିରୋଧରେ ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବେଳେ ଲୋକ ଦେଖାଣିଆ ଭାବେ କେତେକ ସ୍ଥାନରେ ଚଡାଉ କରାଯାଉଛି । ଫଳରେ ଚୋରା ନିଶା ବେପାରୀମାନେ ନିର୍ଭୟରେ କୋଣାର୍କରେ ନିଜ ସାମ୍ରଜ୍ୟ ବିସ୍ତାର କରି ଚଲିଛନ୍ତି । ଜିଲ୍ଲାପାଳ ଓ ଏସପି ତୁରନ୍ତ ଏ ଦିଗରେ ଦୃଢ ପଦକ୍ଷପ ନେବାପାଇଁ ସାଧାରଣରେ ଦାବି ହେଉଛି ।
କୋଣାର୍କରୁ ଅଜିତ କୁମାର ମଲିକ