ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ଦାବିକରି ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
କୋଣାର୍କ -----କୋଣାର୍କ ସମେତ ଏହାର ଆଖପାଖ ଅଞ୍ଚଳର ୧୦ଟି ମୌଜାର ଜମିଜମା ସମସ୍ୟାର ସମାଧାନ ଓ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଦାବିକରି କୋଣାର୍କ ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାକଟପୁର ବିଧାୟକ ତଥା କ୍ରୀଡା ଓ ଯୁବସେବା ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ରବିବାର ଅପରାହ୍ନରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ସମୟରେ ଏହି ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ଏଯାବତ ହୋଇ ନାହିଁ । ଏନେଇ ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ପ୍ରଜାମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରିବେ ବୋଲି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି ୧୯୬୪ ମସିହାଠାରୁ ଆରମ୍ଭ ହୋଇଥିବା ଭୂବନ୍ଦୋବସ୍ତ କାର୍ଯ୍ୟ ଉଦେଶ୍ୟମୂଳକ ଭାବେ ସମାପନ ହୋଇ ନ ଥିବାବେଳେ ୧୯୮୨ ମସିହାରୁ କୋଣାର୍କ ଅଞ୍ଚଳର ୧୦ଟି ରାଜସ୍ୱ ଗ୍ରାମର ଜମି ବନ୍ଦୋବସ୍ତ କାର୍ଯ୍ୟଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି । ଏଥିପାଇଁ ଏ ଅଞ୍ଚଳର ବାସିନ୍ଦାମାନେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ସୁଫଳ ପାଇବାରୁ ବଞ୍ଚିତ । ଏପରିକି ଗୃହ ନିର୍ମାଣ, ମାଛ ଚାଷ ପାଇଁ ପୋଖରୀ ଖୋଳା, ଉଦ୍ୟାନ କୃଷି, କୁକୁଡା ଓ ଗୋ ପାଳନ ଇତ୍ୟାଦି ପାଇଁ ବ୍ୟାଙ୍କରୁ ଋଣ ପାଇପାରୁ ନାହାନ୍ତି । ଏତଦବ୍ୟତିତ ନିଜସ୍ୱ ଜମିଜମା ସମ୍ବନ୍ଧିୟ କାଗଜାତ ଓ ଛାତ୍ରଛାତ୍ରୀଙ୍କ ପାଠ ପଢା ନିମନ୍ତେ ଜାତିଗତ ପ୍ରମାଣ ପତ୍ର, ଆବସ ପ୍ରମାଣ ପତ୍ର, ବାର୍ଷିକ ଆୟ ପ୍ରମାଣ ଓ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ପ୍ରମାଣ ପତ୍ର ମିଳିପାରୁ ନାହିଁ । ଗତ ବର୍ଷ ୨୦୧୩ ମସିହାରେ ସ୍ଥାୟୀ ବାସୀନ୍ଦାଙ୍କ ଭିଟାମାଟିକୁ ରାଜସ୍ୱ ପ୍ରଶାସନ ସରକାରୀ ଖାତାଭୂକ୍ତ କରୁଥିବା ଅଭିଯୋଗ ଲୋକଲୋଚନକୁ ଆସିବାପରେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ଆରମ୍ଭ କରିଛନ୍ତି । ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା କୋଣାର୍କ, ମାଧିପୁର, ବେରୁହଁ, ସୁତନ, ତରକୋର, ଖାଲକଟାପାଟଣା, ବାଙ୍ଗୋରବରପଦା, ଗଡବାଙ୍ଗୋର, ଭୂଆଁ ଓ ଜୁଣେଇଁ ରାଜସ୍ୱ ଗ୍ରାମର ପ୍ରଜାମାନେ ପ୍ରଶାସନର ଏତାଦୃଶ୍ୟ ବେଆଇନ କାର୍ଯ୍ୟକୁ ଘୋର ବିରୋଧ କରୁଛନ୍ତି । ଅଭିଯୋଗ ଅନୁଯାୟୀ ୧୯୫୬ ମସିହାରେ ଆରମ୍ଭ ହୋଇଥିବା ଜମି ବନ୍ଦୋବସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୧୯୮୨ ମସିହାରେ ସରକାର ଏହି ୧୦ଟି ମୌଜାର ଜମିକୁ ନଟ୍ ଫାଇନାଲ୍ ଘୋଷଣା କରିଥିଲେ । ଦୀର୍ଘବର୍ଷ ପରେ ଏବେ ଲୋକଙ୍କ ମାଲିକାନା ସ୍ୱତ୍ତ୍ୱକୁ ଖାରଜ କରି ସରକାରୀ ଖାତାରେ ରଖିବା ଫଳରେ ପୁରୁଷାନୁକ୍ରମିକ ଭାବେ ଭୋଗଦଖଲରେ ଥିବା ବାସିନ୍ଦା ସେମାନଙ୍କର ଭିଟାମାଟି ହରାଇବା ନିଶ୍ଚିତ ହୋଇଛି । ରାଜସ୍ୱ ବିଭାଗର ଏପରି ଅବିଚାର ବିରୋଧରେ ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଥିବା କର୍ମକର୍ତ୍ତାମାନେ କହିଛନ୍ତି । ଦାବିପୂରଣ ନ ହେବାଯାଏଁ ଏ ଆନ୍ଦୋଳନ ଯାରିରହିବ ବୋଲି କମିଟିର ସଭାପତି ସୁକାନ୍ତ କୁମାର ମହାନ୍ତି, ସୁରେଶଚନ୍ଦ୍ର ମୁଦୁଲି, ନିରଞ୍ଜନ ସାହୁ, ଭାସ୍କର ବେହେରା, ଜ୍ଞାନ ନାୟକ ଓ ଭ୍ରମର ଦଳାଇ ପ୍ରମୁଖ ସୁଚନା ଦେଇଛନ୍ତି । ପ୍ରଜାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ପ୍ରଜାମାନଙ୍କ ନାମରେ ପ୍ରଶାସନ କରିଥିବା ମୋକଦମା ପ୍ରତ୍ୟାହାର, ୨୦୧୩ ମସିହାରେ ସରକାର ଜିମ ଅଧିଗ୍ରହଣକୁ ବାତିଲ କରିବା, ଶିକ୍ଷାନୁଷ୍ଠାନ ଅଧିନରେ ଥିବା ଜମିକୁ ପଟ୍ଟା ପ୍ରଦାନ କରିବା, ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା, ସବରେଜିଷ୍ଟର କାର୍ଯ୍ୟାଳୟରେ ଜମିବାଡି କିଣା ବିକା ଉପରେ ଥିବା ପ୍ରତିବନ୍ଧକକୁ ହଟାଇବା, ସାମୁଦ୍ରିକ ଝଡବାତ୍ୟାରେ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ଘର ଯୋଗାଇଦେବା । ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ