ସାକ୍ଷୀଗୋପାଳ ଠାକୁରଙ୍କ କାଳୀୟ ଦଳନ ପର୍ବ ପାଳିତ ; ଗରୁଡ ବିଷ ହରଣ କରିବା ପରେ ଅମର ଲଡୁ ପ୍ରଭୁଙ୍କୁ ଖୁଆଇଲେ
ସାକ୍ଷୀଗୋପାଳ---- ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳା ମଧ୍ୟରେ ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ କାଳୀୟ ଦଳନ ପର୍ବ ଅନ୍ୟତମ । ସାକ୍ଷୀଗୋପାଳ ମନ୍ଦିରରେ କାଳୀୟ ଦଳନ ନୀତି ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପିନାଥ ମନ୍ଦିରରେ ଗୋଧନ ବାହୁଡା ଧୂପ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ସୁସଜିତ ବିମାନରେ ବସି ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପକୁ ବିଜେ କରିଥିଲେ । ବିଜେ କରିବା ଆଗରୁ ମନ୍ଦିରର ପ୍ରଶାସନ ପକ୍ଷରୁ ପୁରୋହିତ ଓ ପୁରାଣ ପଣ୍ଡିତ ମଣ୍ଡପକୁ ପ୍ରତିଷ୍ଠା ହୋମ କରିଥିଲେ । ମଣ୍ଡପରେ ଠାକୁର ବିମାନରେ ବସିଥିବା ବେଳେ ଉକ୍ତ ସାହିରେ ଥିବା ଗୋପାଳ ପରିବାରର କୂଳବଧୁମାନେ ଠାକୁରଙ୍କୁ ବନ୍ଦାପନା କରିଥାନ୍ତି । ଏହି ଅବସରରେ ଗୋପାଳ ପରିବାରଙ୍କ ପକ୍ଷରୁ ମଣ୍ଡପ ସହିତ ସେମାନଙ୍କ ଘର ଆଗରେ ରଙ୍ଗ ବେରଙ୍ଗର ଆଲୋକମାଳ ରେ ସୁସଜିତ କରାଯିବା ସହ କଦଳୀଗଛ ଓ ଆମ୍ବଡାଳ ଲଗାଯାଇଥାଏ । ଗୋପାଳ ପରିବାର ପକ୍ଷରୁ ଠାକୁରଙ୍କୁ ସର, ଲବଣୀ,ମାଖନ, ଖୁଆପେଡା, ରସାବଳି, ଛେନା, ଖୁଆ ବିଭିନ୍ନ କ୍ଷୀରଜାତ ସାମଗ୍ରୀ ସହିତ ଚୁଡାଘଷା,ଖଇ,ଉଖୁଡା, ରାଶି କୋରା,ଫଳମୂଳ , ପଇଡ, ତୁଳସି, ଚନ୍ଦନ ଆଦି ଭୋଗ କରିଥାନ୍ତି । ଗୋପାଳ ପରିବାର ସହିତ ଉକ୍ତ ସାହି ଉତ୍ସବ ମୁଖର ହୋଇଉଠିଥିଲା । ଅନ୍ୟ ପକ୍ଷେ ଠାକୁର ଏଠାରୁ ଭୋଗ ଖାଇ ଫେରିବା ପରେ ଶ୍ରୀକୃଷ୍ଣ କାଳନ୍ଦୀ ହ୍ରଦକୁ ପଦ୍ମଫଲ ତୋଳିବାକୁ ଯାଇଥିଲେ । ହ୍ରଦରେ ଲୁଚି ରହିଥିବା ବିଷଧର ସାପ କାଳୀୟା ନାଗ ଶ୍ରୀକୃଷ୍ଣଙ୍କୁ ଦଂଶନ କରିଥିଲା । ବିଷଜ୍ୱଳାରେ ପ୍ରଭୁ ଶ୍ରୀକୃଷ୍ଣ ଅଚେତ ହୋଇ ସେଠାରେ ପଡି ରହିଥିଲେ । ଭକ୍ତ ଗରୁଡ ଏକଥା ଜାଣିପାରି ସେଠାରେ ପହଞ୍ଚି ବିଷ ହରଣ କରିବା ପରେ ତାଙ୍କର ଚେତା ଫେରିଥିଲା । ପରେ ପରେ ଗରୁଡ ମହାପ୍ରଭୁଙ୍କୁ ଅମୃତ ଲଡୁ ଖୁଆଇବାର ଦୃଶ୍ୟ ବେଶ ମନମୁଗ୍ଧକର ହୋଇଥିଲା । ପାରମ୍ପରିକ ନୀତି ଅନୁସାରେ ବିଳମ୍ବିତ ରାତିରେ କୃଷ୍ଣବେଶ ଧାରୀ ସାକ୍ଷୀଗୋପାଳ ମନ୍ଦିରର ଜଣେ ସେବକ ଏହି ନୀତି ସମ୍ପନ୍ନ କରିଥାନ୍ତି । ସେହିପରି ଗରୁଡ ବେଶଧାରି ଗୋପାଳପୁର ପାଟଣା ଗ୍ରାମର ଗୁଡିଆ ସେବକ ନାରାୟଣ ମହାପାତ୍ର ଏହି ସେବାକୁ ନିଷ୍ଟାର ସହ ବଂଶାନୁକ୍ରମେ କରିଆସୁଛନ୍ତି । ମଠାପାଟ କୁ ପାଇଜାମା, ଅଣ୍ଟାରେ ଘଣ୍ଟିଘାଘୁଡି ମାଳ, ମୁଣ୍ଡରେ କୀରଟି, କାନରେ କୁଣ୍ଡଳ, ନାକରେ ଲମ୍ବାଥଣ୍ଟ, ବେକରେ ଫଲମାଳ, ଦୁଇହାତରେ ଡେଣା ଲଗାଇ ମଶାଲ ସହିତ ଘଣ୍ଟବଜାଇ ରାଧାକୁଣ୍ଡରେ ପହଞ୍ଚିବା ପରେ ଡଙ୍ଗା ସହାର୍ଯ୍ୟରେ ପୋଖରୀ ଭିତରକୁ ଯାଇ ଠାକୁରଙ୍କର ବିଷ ଅପହରଣ କରିଥିଲେ । ସେଠାରେ ବିଷ ହରଣ କରିବା ସହ ପ୍ରଭୁଙ୍କୁ ଅମରଲଡୁ ଖୁଆଇଥିବାର ପରମ୍ପରା ରହିଛି । ଜନମାନସରେ କଥା ରହିଛି ଯେ ଗରୁଡ ପ୍ରଭୁଙ୍କୁ ଯେଉଁ ଲଡୁ ଅମରଲଡୁ ଖାଇବାକୁ ଦେଇ ବିଡ ହରଣ ସହିତ ଜୀବନଦାନ କରିଥିଲା ତାହା ଅନ୍ୟ ଲଡୁ ଠାରୁ ସ୍ୱତନ୍ତ୍ର ରହିଛି । ଏହି ଲଡୁର ବାସ୍ନା ଓ ସ୍ୱାଦ ଅନ୍ୟ ଦିନ ମାନଙ୍କରେ ଭୋଗ କରାଯାଉଥିବା ଲଡୁ ଠାରୁ ଏହି ଲଡୁ ସ୍ୱତନ୍ତ୍ର । ଏହି ଲଡୁ ପାଇବା ପାଇଁ ଭକ୍ତ ମାନଙ୍କର ଗହଳି ଲାଗିଥିଲା । ଏହି ପର୍ବ ଦେଖିବା ପାଇଁ ରାଧାକୁଣ୍ଡ ପୋଖରୀ ଚତୁପାଶ୍ୱର୍ରେ ଭକ୍ତଙ୍କର ଗହଳି ଲାଗିଥିଲା । ି ରାଧାକୁଣ୍ଡ ପୋଖରୀ ଓଡିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ରହିଛି । ଓଡିଆ ବିଶ୍ୱିବିଦ୍ୟାଳୟ ପକ୍ଷରୁ ଠାକୁରଙ୍କ ନୀତିକାନ୍ତି କରାଯିବା ପାଇଁ ବର୍ଷକୁ ଥରେ ଗେଟ ଖୋଳିଥାନ୍ତି । ପର୍ବ ସରିବା ପରେ ପୁର୍ନବାର ଗେଟ ବନ୍ଦ କରିଥାନ୍ତି । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ କାଳୀୟ ଦଳନ ବେଶ ଦର୍ଶନ ନିମନ୍ତେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନଙ୍କର ଗହଳି ଲାଗିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ପୋଖରୀ ଚ୍ତୁପାଶ୍ୱରେ ଆଲୋକୀ କରଣ କରାଯାଇଥିଲା । ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟତ୍ୱରେ ଥିବା ସତ୍ୟବାଦୀ ତହସିଲଦାର ସନ୍ତୋଷ ପ୍ରାଣିଗ୍ରାହୀ ଙ୍କ ତତ୍ୱବଧାନରେ ସମସ୍ତ ନୀତିକାନ୍ତି କରାଯାଇଥିବା ବେଳେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ତଦାରଖ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୮/୨୦୨୫----୭,୨୦ Sakhigopal News, 19/8/2025