Breaking News

ରାସ୍ତା କଡରେ ଗଢି ଉଠୁଛି ବେଆଇନ ଦୋକାନ ଘର ; ତହସିଲ ପ୍ରଶାସନର ନିଷ୍କ୍ରିୟତା




ଜଟଣୀ ---ଜଟଣୀ ପୌରାଞ୍ଚଳରେ ସରକାରୀ ଜମି ଜବରଦଖଲ ଏକ ମହାମାରୀରେ ପରିଣତ ହୋଇଛି l ସ୍ଥାନୀୟ ତହସିଲ ପ୍ରଶାସନର ନିଷ୍କ୍ରିୟତାର ସୁଯୋଗ ଓ ପୌର ପ୍ରଶାସନ ଏବଂ ଜବର ଦଖଲକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ମାଧ୍ୟମରେ କିଛି ମୁଷ୍ଠିମେୟ ବ୍ୟକ୍ତି ବିଶେଷଙ୍କ  ମଧ୍ୟରେ ପ୍ରତିଯୋଗିତା  ମୂଳକ ଭାବେ ବେଆଇନ ଦୋକାନ ଘର ତିଆରି କରିବାରେ ଜଟଣୀ ଅଞ୍ଚଳରେ ଲାଗି ପଡ଼ିଥିବାର ଦେଖିବାକୁ ମିଳୁଛି l  ପୌରପାଳିକା ନିକଟସ୍ଥ ଶ୍ରୀବତ୍ସ୍ଛପାଠାଗାର ସମ୍ମୁଖ ଠାରୁ ସରକାରି ବାଳିକା ଉଚ୍ଚବିଦ୍ୟାଳୟ ଅଞ୍ଚଳ ଜବର୍ ଦଖଲକାରୀଙ୍କ ଭୂସ୍ୱର୍ଗ ପାଲଟି ବାଉଁଶ ବାଡ଼ କରି ଜମି ଓଗାଳିବା ସହ କେବିନ ପକାଇବା ସହ ପକ୍କା ଛାତ ପକାଇ ଦୋକାନ ବଜାର ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଥିବା ବେଳେ ଖୋଦ୍ ପୌରପାଳିକା ମଧ୍ଯ ଏଥିରୁ ବାଦ୍ ଯାଇନାହିଁ l ସେପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ଟିଣ ଚାଦରର ଭେଣ୍ଡିଂ ଜୋନ୍ ଗୃହ ଗୁଡିକ କଳଙ୍କି ଲାଗି ଚତୁଃପାର୍ଶ୍ଵରେ ବଣବୁଦା ସ୍ରୁଷ୍ଟି ହୋଇଥିବା ବେଳେ ସେଗୁଡିକ କିପରି ବ୍ୟବହାର କରାଯିବ ସେ ବିଷୟରେ ଚିନ୍ତା ନକରି ରାସ୍ତା କଡ଼ରେ ଅନ୍ୟମାନଙ୍କ ଭଳି ବେଆଇନ୍ ଦୋକାନ ଗୃହ ନିର୍ମାଣ କରି ଜବରଦଖଲ କାରୀମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଆଶ୍ଚର୍ଯ୍ୟର କଥା ବର୍ଷକ ତଳେ ବାଳିକା ଉଚ୍ଚ ବିଦ୍ୟାଳୟକୁ କାମ ତଦାରଖ କରିବା ପାଇଁ ଖୋଦ୍ ତତ୍କାଳୀନ ପୌର ପ୍ରଶାସକ ତଥା ଭୁବନେଶ୍ବର ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯିବା ଆସିବା ଜାରି ରଖିଥିଲେ ମଧ୍ୟ ବେଧଡ଼କ ଭାବେ ରାସ୍ତା କଡ ସରକାରି ଜମି ଅଧିଗ୍ରହଣ ହୋଇ ଚାଲିଥିବା ବେଳେ ପ୍ରଶାସନ ଏ ଦିଗରେ ଧୃତରାଷ୍ଟ୍ର ସାଜିବା, ସ୍ଵଚ୍ଛତା ଓ ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହିପ୍ରକାର ପୌରପାଳିକା ଚତୁଃପାର୍ଶ୍ଵ, ଥାନା କଡ଼, ଖାସ୍ ମାହାଲ ଅଞ୍ଚଳରେ ଥିବା ଭାରତ ସଂଚାର ନିଗମ କାର୍ଯ୍ୟାଳୟ ପଛ ଗଳି, ମ୍ୟୁନିସିପାଲଟି ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ନବ ନିର୍ମିତ ଦୋକାନ ଗୃହ ଓ ଆଖପାଖର ଗଳି କନ୍ଦିରେ ଗଢି ଉଠୁଥିବା ଦୋକାନ ଗୃହ ଦ୍ୱାରା ରାସ୍ତା ଅବରୋଧ ଗୁଡିକ ପ୍ରତି ଦୃଷ୍ଟି ନ ଦେଲେ ରାସ୍ତା ସଙ୍କୁଚିତ ହେବା ସହ ଆଗକୁ ସହରର ଉନ୍ନତିକରଣରେ ବାଧା ଉପୁଜିବା ଏକ ପ୍ରକାର ନିଶ୍ଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଅପରନ୍ତୁ ବେଳ ଥାଉଥାଉ ବନ୍ଧ ବାନ୍ଧିବା ନୀତିରେ ରାସ୍ତା କଡ ସରକାରୀ ଜମିକୁ ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଖୋଦ୍ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ନିବେଦନ କରିଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୧୨/୨୦୨୩----୮,୫୦ Sakhigopal News,26/12/2023

Blog Archive

Popular Posts