Breaking News

ପ୍ରତ୍ୟେହ ସନ୍ଧ୍ୟାରେ ବର୍ଷା : ସହରବାସୀଙ୍କୁ ଜ୍ୱର ଓ ଥଣ୍ଡା ଭୟ ଘାରିଛି

ବାଲିଗୁଡା,  ଗତ କିଛି ଦିନ ଧରି ସମଗ୍ର  କନ୍ଧମାଳ ଜିଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ  ଅପରାହ୍ନ କିମ୍ବା ସନ୍ଧ୍ୟାରେ ବର୍ଷା ହେଉଛି । ଗ୍ରୀଷ୍ମ ଓ ଗୁଳୁଗୁଳିରୁ ଏହା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରୁଥିବା ବେଳେ କରୋନା ସଂକ୍ରମଣ ବଢିବାର ଭୟ ମଧ୍ୟ ଘାରିଛି । କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଥିବା ବେଳେ ସାଧାରଣତଃ ଜ୍ୱର କିମ୍ବା ସାମାନ୍ୟ ଥଣ୍ଡା ହେଲେ କରୋନା ଭୟ ଘାରୁଛି । ଏପରିକି ଚିକିତ୍ସା ସକାଶେ ଡ଼ାକ୍ତରଖାନାକୁ ଯିବାକୁ ମଧ୍ୟ ଭୟ କରୁଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ଥଣ୍ଡା, କାଶ ଓ ଜ୍ୱର ଲକ୍ଷଣ ଆଶଙ୍କା ରହୁଥିବାରୁ ଏଭଳି ଚିନ୍ତା ଘାରିଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ବୁଧବାର ଦିନତମାମ କୋହଲା ପାଗ ଲାଗି ରହିଥିଲା । ତେବେ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା କମ୍ ରହିଛି ବୋଲି ସୂଚନା ମଳିବା ପରେ ଅଞ୍ଚଳବାସୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଏଭଳି ସ୍ଥିତିରେ ପ୍ରଶାସନର କଟକଣାକୁ କିଛି ଅମାନିଆ ଖାତିର କରୁନଥିବା ଦେଖିବାକୁ ମିଳିଛି ।  ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ଜୈନକ ଡ଼ାକ୍ତରଙ୍କ କହିବାନୁଯାୟୀ, ବର୍ଷା ଋତୁ ଆସିଥିବାରୁ ନିଜକୁ ସୁରକ୍ଷିତ ରଖିବା ନିତାନ୍ତ ଆବଶ୍ୟକ । ବର୍ଷାରେ ଭିଜିଯିବା ଦ୍ୱାରା ଥଣ୍ଡା, କାଶ, ସର୍ଦ୍ଧି ଓ ଜ୍ୱରରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତଟକା ପନିପରିବା ଖାଇବା ସହ ଥଣ୍ଡା ଖଦ୍ୟ ଭୋଜନ ନକରି ସଦା ସର୍ବଦା ଗରମ ଖାଦ୍ୟ ଭୋଜନ କରିବା ଆବଶ୍ୟକ ।ଏଭଳି ସମୟରେ ଥଣ୍ଡା କିମ୍ବା ଜ୍ୱର ହେଲେ ଡ଼ାକ୍ତରଙ୍କ ପରାମର୍ଶ ନିତାନ୍ତ ଆବଶ୍ୟକ ।ଡ଼ାକ୍ତରଖାନାକୁ ନଯାଇ ପାରିଲେ ଫୋନ୍ ଯୋଗେ ପରାମର୍ଶ କରିବାକୁ କହିଛନ୍ତି ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts