କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର
ବରଗଡ଼ ----ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ବହୁ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଛି।ଶିକ୍ଷକ ଅଭାବରୁ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ ବାଧା ପ୍ରାପ୍ତ ହେଉଛି।କିନ୍ତୁ ସରକାର ଶିକ୍ଷକ ମାନଙ୍କୁ ନିଯୁକ୍ତି ନଦେଇ ଚୁପ ହେଇ ବସିଛନ୍ତି।ସାମ୍ପ୍ରତିକ ପରିସ୍ଥିତିରେ ଅନଲାଇନ ପାଠ ପଢା ଚାଲିଛି।କିନ୍ତୁ ଏମିତି ବିଦ୍ୟାଳୟ ଗୁଡିକ ରହିଛି ଯେଉଁଠି ପାଞ୍ଚଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଅଛନ୍ତି।ଏଭଳି ପରିସ୍ଥିତିରେ ଜଣେ ଶିକ୍ଷକ ଅନଲାଇନ ହେଲେ ବି କିଭଳି ଭାବେ ପାଠ ପଢେଇବେ ତାହା ନେଇ ଅଭିଭାବକ ମହଲରେ ଚର୍ଚ୍ଚା ହେବା ସହ ନିଜର ପିଲା ମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି।ଅନ୍ୟ ପକ୍ଷରେ ବରଗଡ଼ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ସିଟି ଓ ବିଇଡି ଡିଗ୍ରୀ ହାସଲ କରି ଯୁବକ ଯୁବତୀ ବେକାର ହୋଇ ବୁଲୁଛନ୍ତି। ଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ନିଯୁକ୍ତି ଦିଆଯାଉନି।କରୋନା ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ ସରକାର ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦେଉଛନ୍ତି।ହେଲେ ଶିକ୍ଷା ବ୍ୟବସ୍ଥା ପ୍ରତି ଏପରି ବୈମାତୃକ ମନୋଭାବ ଦେଖି ଆଜି ବରଗଡ଼ ଜିଲ୍ଲା କନିଷ୍ଠ ଆଶାୟୀ ଶିକ୍ଷକ ସଂଘ ଜିଲ୍ଲାପାଳଙ୍କ ଜରିଆରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଜିଲ୍ଲାରେ ଖାଲି ପଡିଥିବା ଶିକ୍ଷକ ପଦବୀକୁ କନିଷ୍ଠ ଶିକ୍ଷକ ନିଯୁକ୍ତି କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସେମାନଙ୍କ ଦାବୀ ପୂରଣ ନହେଲେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ପାଇଁ ସଂଘ ର ସଭାପତି ଆଶିଷ ସୁନା ଚେତାବନୀ ଦେଇଛନ୍ତି।ଏଥିରେ ସଂଘର ହିରେନ ବେରିଆ,ମଧୁ ନାଏକ,ମାନସୀ ସାହୁ ରଘୁନାଥ କୁମ୍ଭାର,ଯଏମିନି ବଢ଼େଇ,ପଦ୍ମିନୀ ବଢ଼େଇ,ନମିତା ବାଗ,ପ୍ରାଚୂର୍ଯ୍ୟା ଦାଶ,ଦେବବ୍ରତ ପ୍ରଧାନ,ଅନନ୍ତ ଭୁଏ,ସୁରେନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ