ସତ ବାଘ", "ମିଛ ବାଘ, ଭାଇରାଲ୍ ଭିଡିଓ କୁ ନେଇ ସତର୍କ କରାଇଲା ବନବିଭାଗ
ଭଞ୍ଜନଗର --- ସତ ବାଘ ଭୟଠୁ ବଳିଗଲାଣି, ମିଛ ବାଘ ଭିଡିଓ । ଯାହା ଏବେ ଭାଇରାଲ୍ ହେଉଛି । “ସତ” ହେଉଛି - ଗାଈଗୋଠ ରୁ ଟାଣିନେଇ ଗାଈ-ବାଛୁରୀଙ୍କୁ ମାରି ଖାଉଛି । ସ୍ଥାନୀୟ ଅଞ୍ଚଳରେ ପାଦ ଚିହ୍ନ ପଡୁଛି । ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡ଼ୁଛି ବାଘ ବୋଲି । ବନବିଭାଗ ଟ୍ରାପ କ୍ୟାମେରା ଲଗାଯାଇଛି, ହେଲେ ସେଥିରେ ବାଘର ଛବି ଟିଏ ବି’ ଆସୁନି । ବିଭାଗ ଠାରୁ ଆରମ୍ଭ କରି ଜନସାଧାରଣ ଜାଣି ସାରିଲେଣି, ବାଘ ବୁଲୁଛି । କ୍ଷତିଗ୍ରସ୍ତ ୧୭ ଜଣ ଗୋପାଳକଙ୍କୁ କ୍ଷତିପୂରଣ ମଧ୍ୟ ଦିଆଗଲାଣି । କିନ୍ତୁ ବନବିଭାଗ ପକ୍ଷରୁ ଏଯାଏଁ ସରକାରୀ ଭାବେ ଘୋଷଣା କରାଯାଇନି, ବାଘ ବୋଲି । ତେବେ “ମିଛ” ହେଉଛି,
ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍ ରୁ ମୋବାଇଲ୍ କୁ ଘୁରି ବୁଲୁଛି, ଭାଇରାଲ୍ ଭିଡିଓ । ଏହା ମିଛ ଭିଡିଓ ଏବଂ ଏଥିରେ କୈାଣସି ସତ୍ୟତା ନାହିଁ ବୋଲି କହୁଛନ୍ତି, ବିଭାଗୀୟ ଅଧିକାରୀ । ବାଘ ଭୟରେ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଗୋପାଳକ ମାନେ ଏକପ୍ରକାର ଭୟଭୀତ ହୋଇ ପଡ଼ିଥିବା ବେଳେ, ଭାଇରାଲ୍ ଭିଡିଓରେ ଆସୁଥିବା ବାଘର ଛବି ଏବେ ସ୍ଥାନୀୟ ଲୋକଙ୍କୁ ଅଧିକ ଭୟଭୀତ କରୁଛି । ଏ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ବାଘକୁ ନେଇ ଦେଖାଦେଇଥିବା ଘଟଣାକ୍ରମ ।
ଗତ ପ୍ରାୟ ୬ ମାସ ହେଲା, ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଲାଣି ବାଘ । ଗାଈଗୋଠରେ ପଶି ଗାଈ-ଗୋରୁ ଏବଂ ବାଛୁରୀଙ୍କୁ ମାରୁଛି । ଘଡିଘଡିକେ ସ୍ଥାନ ବଦଳାଉଛି । ଗୋଟିଏ ସ୍ଥାନରେ ଥରେ ଶିକାର କରିଦେଲେ, କିଛି ଦିନ ବ୍ୟବଧାନରେ ସ୍ଥାନ ବଦଳାଇ ପୁଣି ଶିକାର କରୁଛି । ସରକାରୀ ହିସାବରେ ଏ ପର୍ଯ୍ୟନ୍ତ ୧୮ ଟି ଶିକାର ହୋଇଛି । ସେଥିରୁ ୧୧ ଟି ବାଛୁରୀ, ୪ ଟି ଗାଈ ଏବଂ ୩ ଟି ବଳଦ ରହିଛନ୍ତି । କ୍ଷତିପୂରଣ ବାବଦରେ ୨ ଲକ୍ଷ ୯୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା, କ୍ଷତିଗ୍ରସ୍ତ ଗୋପାଳକ ମାନଙ୍କୁ ଦିଆଗଲାଣି । ହେଲେ ଏ ପର୍ଯ୍ୟନ୍ତ “ବାଘ” ବୋଲି ସ୍ପଷ୍ଟ କରିନି ବନବିଭାଗ । କିନ୍ତୁ ବାଘର ଉପସ୍ଥିତିକୁ ନେଇ, ଲୋକେ ନିଶ୍ଚିତ ।
ଏବେ ଗାଈଗୋଠରେ ରହୁଥିବା ଗାଈ-ଗୋରୁ ଭଳି ଗୃହ ପାଳିତ ପଶୁ ମାନେ ଅସୁରକ୍ଷିତ । ବିଶେଷ କରି ଘୁମୁସର ଅଞ୍ଚଳର “ଘୁମୁସରୀ ଗାଈ” ସଙ୍କଟରେ ପଡ଼ିଛନ୍ତି ବୋଲି, ସଂପୃକ୍ତ ସମିତିର ସମ୍ପାଦକ, ଅଭିଯୋଗ ଆଣିଛନ୍ତି । ଏଭଳି ପରିସ୍ଥିତିରେ ଭାଇରାଲ୍ ହେଉଥିବା ଭିଡିଓ ସବୁ, ଆମୁଳକ ବୋଲି କୁହାଯାଇଛି ।
ଗୋଟିଏ ପଟେ, ଅଦୃଶ୍ୟ ବାଘର ଭୟ – ଅନ୍ୟପଟେ ଭାଇରାଲ୍ ଭିଡିଓ । ଏବେ ଅପେକ୍ଷା, ମିଛ ଭାଇରାଲ୍ ଭିଡିଓକୁ ପ୍ରସାରଣ କରୁଥିବା କିଛି ଗୋଷ୍ଠୀଙ୍କ ବିରୋଧରେ, ବନବିଭାଗ ଆସନ୍ତା ଦିନରେ କି' କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାର ବାକି ରହିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୪-----୬,୪୫ Sakhigopal News,12/8/2024