ଗଣେଶ ପୂଜା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ,ଭସାଣୀ ଉତ୍ସବରେ ଡିଜେ ସଙ୍ଗୀତ, ବାଣ ଏବଂ ମଦ୍ୟପାନକୁ ନା
ଜଟଣୀ : ଜଟଣୀ ସହରର ପ୍ରସିଦ୍ଧ ଗଣେଶ ପୂଜା ଓ ଭସାଣୀ ଉତ୍ସବକୁ ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ଥାନାଧିକାରୀ ସୌମ୍ୟକାନ୍ତ ବଳିୟାରସିଂହଙ୍କ ସଂଯୋଜନାରେ କମିଶନରେଟ ପୁଲିସ ପକ୍ଷରୁ ଜୋନ୍ ୩ ଏସିପି ତାପସ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବଜାର କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ପ୍ରଶାସନିକ ନିୟମ ଅନୁଯାୟୀ ପଞ୍ଜିକୃତ ପୂଜା କମିଟି ଓ କ୍ଲବ୍ ପକ୍ଷରୁ ପୂଜା ଓ ଭସାଣି ଉତ୍ସବ ନିମନ୍ତେ ଆସନ୍ତା ୪ ତାରିଖ ମଧ୍ୟରେ ସ୍ଥାନୀୟ ଥାନାରୁ ଅନୁମତି ନେବେ । ଯେଉଁ ବ୍ୟବସ୍ଥାକି ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଉପଲବ୍ଧ ହେଉଥିଲା l ଉପରୋକ୍ତ ତାରିଖରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିବା ଦ୍ଵାରା ପୂଜା ଆୟୋଜନ କରୁଥିବା କୌଣସି କର୍ମକର୍ତ୍ତା ମାନଙ୍କୁ ଏ ଅଫିସ୍ ସେ ଅଫିସ ଧାଁ ଧଉଡ କରିବାକୁ ଆଉ ପଡ଼ିବ ନାହିଁ l ସେହିପରି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ କଟକଣାକୁ ଅନୂପାଳନ ପୂର୍ବକ ଭସାଣୀ ଉତ୍ସବରେ ଡିଜେ ସଙ୍ଗୀତ ପରିବେଷଣ ଓ ବାଣକୁ ନିଷିଦ୍ଧ କରାଯିବା ସହ ମଦ୍ୟପାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ପୂଜା ପାଳନ ନିମନ୍ତେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହିତ ଭାଇଚାରା ମଧ୍ୟରେ ସମାପନ କରିବାକୁ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଡିସିପି ପ୍ରତୀକ ସିଂହ କହିଥିଲେ । ଆସନ୍ତା ୭ ତାରିଖ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ୧୮ ତାରିଖ ଇନ୍ଦୁ ପୂର୍ଣିମା ଦିନ ଭସାଣି ହେବ। ଏତଦବ୍ୟତୀତ ପୂଜା ମହୋତ୍ସବ ସମୟରେ ପ୍ଲାଷ୍ଟିକ୍ ଓ ପଲିଥିନ, ପାଣି ପାଉଚ ବ୍ୟବହାର ବର୍ଜନ, ଅସ୍ଥାୟୀ ଶୌଚାଳୟ ସ୍ଥାପନ ବାବଦରେ ଆଲୋଚନା ସହିତ ପୌରପାଳିକା ପକ୍ଷରୁ ଚାରିରୁ ଉର୍ଦ୍ଧ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନର ବ୍ୟବସ୍ଥା କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ସୂଚନା ଦେଇଥିଲେ l ସେହିଭଳି ଥାନାଧିକାରୀ ଶ୍ରୀ ବଳିୟାରସିଂହ ପୂଜା ସାଜସଜା ତୋରଣ ନିର୍ମାଣ ପାଇଁ ନିର୍ମାଣ ସୁରକ୍ଷା ସାର୍ଟିଫିକେଟ୍ ପୂର୍ତ୍ତ ବିଭାଗ ନିକଟରୁ ଆଣିବେ । ଛୋଟ ଓ ବଡ଼ ମୂର୍ତ୍ତି ବିସର୍ଜନ ପାଇଁ ଦୁଇଟି ଅଲଗା ଘାଟରେ ବିସର୍ଜନ କାର୍ଯ୍ୟ ସମାପନ ହେବ। ପାର୍ବଣ ସମୟରେ କୌଣସି ପ୍ରକାର ଅପ୍ରୀତିକର କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବ ନାହିଁ । ପୂଜା ଏଗାର ଦିନ ବ୍ୟାପି ଥାନା ପରିସରରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇ କାର୍ଯ୍ୟକଳାପ ଉପରେ ଲକ୍ଷ ରଖାଯିବ l ଏହି ଆଲୋଚନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ , ପୌର ଅଧ୍ୟକ୍ଷ ଅନନ୍ତ ବେହେରା, ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ, ଅତିରିକ୍ତ ତହସିଲଦାର ମଧୁସ୍ମିତା ନନ୍ଦ, ଭସାଣି ଉତ୍ସବ କମିଟି ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ଜାନକୀବଲ୍ଲଭ ଲିଟୁ ମିଶ୍ର, ଅନନ୍ତ ଶତପଥୀ, ଶରତ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ l ଏହି ବୈଠକକୁ ଥାନା ପକ୍ଷରୁ ସମସ୍ତ କର୍ମଚାରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୮/୨୦୨୪----୯,୨୫ Sakhigopal News,25/8/2024