Breaking News

ସାକ୍ଷୀଗୋପାଳରେ ଗହ୍ମାପୂ୍‌ର୍ଣ୍ଣମୀ ପର୍ବ ପାଳିତ ; ଗହ୍ମାପୂର୍ଣ୍ଣମୀରେ ସାକ୍ଷୀଗୋପାଳରେ ସ୍ୱତନ୍ତ୍ର ନଡିଆ ଲଢେଇ



 ସାକ୍ଷୀଗୋପାଳ --   ଆଜି ହେଉଛି ପ୍ରଭୁ ବଳଭ୍ରଦଙ୍କ ଜନ୍ମ ଦିନ ।  ସାକ୍ଷୀଗୋପାଳ ମନ୍ଦିର ଓ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ଓ ଘରେ ଘରେ ଗହ୍ମାପୂର୍ଣ୍ଣମୀ ପର୍ବ  ପାଳିତ ହୋଇଯାଇଛି ।   ଦ୍ୱିପହର ଧୂପରେ ଗହମ ଗୁଣ୍ଡରେ ପ୍ରସ୍ତୁତ କରାଯାଇଥିବା ମଣ୍ଡା ପିଠା ଭୋଗ କରାଯିବା ସହ ଠାକୁରଙ୍କୁ ନୂତନ ବସ୍ତ୍ର, ଆଳତୀ, ଉପଚାର  ଓ ଯାତଭୋଗ ସହ ତୁଳସୀ, ଚନ୍ଦନ ଲାଗି କରାଯିବା ସହ ପାଟସୁତାରେ ପ୍ରସ୍ତୁତ ରାକ୍ଷୀ ଓ ୭ଟି ଗୁଆ ମାଳ କରାଯାଇ ମା ରାଧାରାଣୀ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଲାଗି କରାଯାଇଥାଏ । ସଂଧ୍ୟାରେ ଗୋଧନ ବାହୁଡା ଭୋଗ ପରେ ଚଳନ୍ତି ପ୍ରତିମା ମଦନମୋହନ ଗହ୍ମାବେଦୀକୁ ବିଜେ କରିଥାନ୍ତି । ସେଠାରେ ଆଳତୀ, ଉପଚାର ଓ ଯାତଭୋଗ ସରିବାପରେ ସେବାତୟ ମାନେ ରାକ୍ଷୀ ପିନ୍ଦାଇଥାନ୍ତି ବୋଲି  ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ପ୍ରକାଶ ।  ଏ ସମସ୍ତ କାର୍ଯ୍ୟ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଦିନରେ ଘରେ ଥିବା  ଗୋ ମାତାଙ୍କୁ ପୂଜା କରାଯାଇଥାଏ । ଏଥିଯୋଗୁ  ସମସ୍ତଙ୍କ ଘର ମାନଙ୍କରେ ପିଠା, ତରକାରୀ, କ୍ଷୀରି, ଖେଚୁଡିି ଡାଲାମା, ଶାଗ, ଖଟା,  ଆଦି ଖାଦ୍ୟ ପ୍ରସ୍ତୁତ କରାଯାଇ ଦିପହରରେ ପ୍ରଥମେ ଗୋ ମାତାଙ୍କୁ ପୂଜା କରାଯାଇଥାଏ ।  ପରେ ପରେ ଠାକୁରଙ୍କ ଘର ସହିତ ବାହାରେ ଦିଆଯିବା ପରେ ପରିବାର ଲୋକମାନେ ପ୍ରସାଦ ପାଇଥାନ୍ତି । ସେହିପରି ଘରେ ଭଉଣୀ ମାନେ ଭାଇର ଦୀର୍ଘାୟୁ କାମନା କରି ଭାଇ ହାତରେ ରାକ୍ଷୀ ପିନ୍ଦାଇ ଭାଇ ମାନଙ୍କର ଦୀର୍ଘାୟୁ କାମନା କରିବା ସହ ଭାଇ ମାନଙ୍କ ଠାରୁ ସେମାନଙ୍କର ପାଉଣା ଆଦାୟ କରିଥାନ୍ତି । ଏହି ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । 

                    ସାକ୍ଷୀଗୋପାଳରେ ଗହ୍ମାପର୍ବ  ବା ଗହ୍ମାପୂର୍ଣ୍ଣମୀ ଅବସରରେ ସ୍ୱତନ୍ତ ନଡିଆ ଲଡେଇ ଦେଖିବାକୁ ମିଳିଥାଏ ।  ଯାହାକି  ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ । ମାତ୍ର କାଳଦିକ୍ରମେ  ନଡିଆ ଲଡେଇ ପ୍ରତିଯୋଗିତା ବିଭିନ୍ନ ସ୍ଥାନରେ ହେଉଛି ।   ଗହ୍ମାପୂ୍‌ର୍ଣ୍ଣମୀ ଅବସରରେ  ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ, କେତିକିପାଟଣା, ବିଶ୍ୱନାଥପୁର  ଓ ଭିଁପୁର  ଆଦି ବିଭିନ୍ନ ଗ୍ରାମ  ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଏଥି ନିମନ୍ତେ ଯୁବକ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଥିାଏ ।  ସବୁ ଗଛର ନଡିଆ ପ୍ରତିଯୋଗିତାରେ ଭାଗ ନେଇ ପାରିନଥାଏ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସ୍ୱତନ୍ତ୍ର ନଡିଆ ଗଛ ରହିଛି । ବିଶେଷ କରି ସେ ନଡିଆର ସଢ଼େଇ ଗୁଡିକ ଅଧିକ ମୋଟ ବା ଟାଣ । ଏବଂ ନଡିଆର ଯେଉଁ ତିନୋଟି ଆଖିଥାଏ ତା ମଧ୍ୟ ଅନ୍ୟ ନଡିଆ ଠାରୁ ଭିନ୍ନ ଅଟେ । ବିଶେଷ କରି ନଡିଆର ଆଖି ପାଖରୁ କିଛି ଅଂଶର ସଢ଼େଇ ଟାଣ ବା ମୋଟା ଥାଏ । ଯାହା ଫଳରେକି ଉକ୍ତ ନଡିଆକୁ ମାଡ ( ବାଡେଇ)ଲେ  ମଧ୍ୟ ନଡିଆ ସହଜରେ  ଭାଙ୍ଗେ ନାହିଁ । ଏହାକୁ ଆଗରୁ ଲଢ଼େଇ କରୁଥିବା ବା ଆଗ୍ରହୀ ଯୁବକ ମାନେ ବିଭିନ୍ନ ଅଞ୍ଚଳରୁ ନଡିଆ ସଂଗ୍ରହ କରିଥାନ୍ତି । ଏହି ନଡିଆ ଗୁଡିକ ଅନ୍ୟ ସାଧାରଣ ନଡିଆ ଅପେକ୍ଷା ଅଧିିକ ଦର ରେ ବିକ୍ରୟ କରାଯାଇଥାଏ । ଗୋଟିଏ ଗୋଟିଏ ନଡିଆର ଦାମ ପ୍ରାୟ ୫୦ଟଙ୍କାରୁ ୮୦୦ଶହ ଟଙ୍କା ପର୍ଯ୍ୟନ୍ତ ିବିକ୍ରୟ ହୋଉଥାଏ । ସେହିପରି ଲଢ଼େଇ ପୁଣି କେତେ ପ୍ରକାରର ହୋଇଥାଏ । କେଉଁଠି  ନଡିଆ ହାତରେ ଧରି ମାଡ କରୁଥିବା ବେଳେ ଅନ୍ୟ କେତେକ ଜାଗାରେ ନଡିଆକୁ ଅଳ୍ପ ଦୂରରୁ ପିଙ୍ଗା ଯାଇଥାଏ ।  ନଡିଆକୁ ନଡିଆ ମାଡ ହୋଇଥାଏ ।  କେତକ ନଡିଆକୁ ନେଇ ଯୁବକ ମାନଙ୍କ ମଧ୍ୟରେ ବାଜି ଲାଗିଥାଏ । ବିଶେଷ କରି ଏହି ନଡିଆ ପ୍ରତିଯୋଗିତା ଦୁଇ ଜଣଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଯେଉଁ ନଡିଆଟି ଭାଙ୍ଗିଯାଇଥାଏ ସେ ନଡିଆର ମାଲିକ ହାରିଲା ବୋଲି ଗଣାଯାଇଥାଏ । ଭାଙ୍ଗି ଯାଇଥିବା ନଡିଆଟିକୁ ଅନ୍ୟ ନଡିଆର ମାଲିକ ନେଇଯାଇଥାଏ ।   ନଡିଆ ଲଢ଼େଇ ଦେଖବାକୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥିଲା । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୮/୨୦୨୪----୮,୧୦   Sakhigopal News, 19/*8/*2024

Blog Archive

Popular Posts