ନଦୀ ଯୋଗୁଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ : ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ
-ଲାଞ୍ଜିଗଡ ------କଳାହାଣ୍ଡି ଜିଲ୍ଲାର ଏକ ପଛୁଆ ବ୍ଲକ ଲାଞ୍ଜିଗଡ଼ । ଅସହ୍ୟ ହେଉଛି ଜନନୀ ଯନ୍ତ୍ରଣା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ସତ୍ବେ ଅସୁରକ୍ଷିତ ଭାବେ ସନ୍ତାନ ପ୍ରଶବ କରୁଛି ଜନନୀ। କେଉଁଠି ରାସ୍ତା ସମସ୍ୟା ତ କେଉଁଠି ସ୍ବାସ୍ଥ୍ୟ ବିଭାଗର ଅବହେଳା। ଏମିତି ଭିତରେ ଜନନୀଟିଏ ଅଣନିଃଶ୍ବାସୀ ହୋଇ ସନ୍ତାନ ପ୍ରସବ କରୁଛି, ଯାହା ଏକ ସୁସ୍ଥ ସମାଜ ପାଇଁ ଆଦ୍ୟୋ ଶୋଭନୀୟ ନୁହଁ ବୋଲି ବୁଦ୍ଧିଜୀବୀମାନେ କହନ୍ତି ।
ଲାଞ୍ଜିଗଡ଼ ବ୍ଲକ ବଡପଡାର ଘଡେଇପେଟା ସାହିରୁ ଏପରି ଏକ ଚିତ୍ର ଆସି ପହଞ୍ଚିଛି ଯାହା ସରକାର, ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ପାରିବାପଣିଆ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗାଁ ପର୍ଯ୍ୟନ୍ତ ରାସ୍ତାନଥିବାରୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ପ୍ରସୂତି ମହିଳା ଖଟିଆରେ ବୁହାହୋଇ ନଦୀ ପାରିହୋଇ ଆସିଲେ।
ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ୫ ଟାରେ ଲାଞ୍ଜିଗଡ଼ ବଡପଡାର ଘଡେଇପେଟା ସାହିର ଲିଟୁ ହରିଜନଙ୍କ ସ୍ତ୍ରୀ ବାସନ୍ତି ହରିଜନ ପ୍ରସବ ବେଦନା ଯୋଗୁଁ ସେ ଗୁରୁତର ହୋଇ ପଢିଥିଲେ। ତେଣୁ ବାସନ୍ତିଙ୍କ ପ୍ରସବ ଯନ୍ତ୍ରଣା ଦେଖି ଡାକ୍ତରଖାନାକୁ ନେବାକୁ ସ୍ଥିର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲା। ହେଲେ ଲାଞ୍ଜିଗଡ଼ ବଡପଡା ଓ ଘଡେଇପେଟା ସାହିର ମଝିରେ ଥିବା ବଂଶୀଧାର ନଦୀରେ ପାଣି ଆସୁଥିବା ଯୋଗୁଁ ବଡପଡ଼ାରୁ ଆଉ ଆଗକୁ ଯାଇ ପାରିଲା ନାହିଁ। ଫଳରେ ଲିଟୁ ହରିଜନ, ପିଣ୍ଟୁ ହରିଜନ, ଟୁଲୁ ବିଭାର ଓ ଶ୍ରୀନୁ ଏକ ଖଟିଆରେ ବୋହି ବଂଶୀଧାରା ନଦୀରେ ସାଢ଼େ ୩ ଫୁଟ ପାଣିରେ ୫୦୦ ମିଟର ଆଣିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ଼ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ଆଜିକୁ ୩୦ ବର୍ଷ ହେଲା ଏହି ବଂଶୀଧାରା ନଦୀରେ ପୋଲ ନିର୍ମାଣ ପାଇଁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନଥିବା ଘଡେଇତୋଟାବାସୀ ପ୍ରକାଶ କରିଛନ୍ତି। ବର୍ଷା ଦିନରେ ନଦୀରେ ୪/୫ ଫୁଟ ଜଳ ପ୍ରଭାବିତ ହେଉଥିବା ଯୋଗୁଁ ରୋଗୀ, ପ୍ରସୂତି ମହିଳା, ପିଲାଙ୍କ ସ୍କୁଲ ଯିବା, ପଞ୍ଚାୟତକୁ ପିଡିଏସ୍ ଚାଉଳ ଓ ବୁଢା ବୁଢ଼ୀ ଭତ୍ତା ପାଇଁ ଲୋକେ ନାଇନଥିବା ଅସୁବିଧା ଭୋଗୁଛନ୍ତି।ଗତ ୨୦୧୮ ମସିହା ଜୁଲାଇ ୧୫ ତାରିଖରେ ଏହି ବଂଶୀଧାରା ନଦୀର ଏହି ଘାଟରେ ନଦୀ ପାର ହେବାକୁ ଉଦ୍ୟମ ବେଳେ ନଦୀର ଜଳସ୍ତର ବଢିବାରୁ ନିକଟସ୍ଥ ଗାଁ ଡଙ୍ଗରପାତଲମା କାଳିଆ ମାଝୀ ଓ ସିମେଲଭଟାର କୃଷ୍ଣଚନ୍ଦ୍ର ମାଝୀଙ୍କ ମଧ୍ୟରୁ କାଳିଆ ମାଝୀ ଭାସିଯାଇ ମୃତ୍ୟୁ ଘଟିଥିଲା। ଦୁଇ ଦିନ ପରେ ତାଙ୍କ ମୃତ ଦେହ ୧ କିମି ଦୂରରୁ ଉଦ୍ଧାର କରାଯାଇଥିଲା। ଏହି ପୋଲ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ପୁଣି ଲାଞ୍ଜିଗଡ଼ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ଓ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସୁକନ୍ୟା ଶକ୍ତି ସଂଘଠନ ଓ ପଡାବାସୀଙ୍କ ପକ୍ଷରୁ ଆଜି ଗିରିଷତୁଳା ମାଝୀ, ହିମାନସୁ ସେନାପତି, ଡିଲେସ ତୁଳା ବିଭାର, ଡାମଦାର ବିଭାର, ସୁପାରୀ ବିଭାର, ମହେଶ୍ୱର ବିଭାର,କର୍ଣ୍ଣ ବିଭାର, ମନ ବିଭାରଙ୍କ ସହିତ ୧୮ରୁ ଉର୍ଦ୍ଧ୍ବ ପଡାବାସୀ ଲିଖିତ ଅଭିଯୋଗ କରିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ