ସତ୍ୟବାଦୀରେ ଶାରଦୀୟ ନବଦିନାତ୍ମକ ପୂଜା ଆରମ୍ଭ ; ପୀଠ ଗୁଡିକ ଉତ୍ସବ ମୁଖର
ସାକ୍ଷୀଗୋପାଳ ------ ଶାରଦୀୟ ନବଦିନାତ୍ମକ ପୂଜା ସତ୍ୟବାଦୀର ବିଭିନ୍ନ ପୀଠ ଗୁଡିକରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ପୀଠ ଗୁଡିକରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନକୁ ମାନି ଓ ପରମ୍ପରା ପ୍ରଥା ଅନୁସାରେ ପୂଜା ପାଠ ପୀଠ ଗୁଡିକରେ ସ୍ରୋତ୍ରୀୟ ବାହ୍ମଣ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଛି । ସପ୍ତସତି ଚଣ୍ଡି ପାଠ, ହୋମ, ଷେଡେଶ ଉପଚାର ପୂଜାର ମନ୍ତ୍ର ଶଦ୍ଦରେ ମୁଖରିତ ହୋଇ ଉଠିଛି ପୀଠ ଗୁଡିକ । ଗ୍ରାମେ ଗ୍ରାମେ ରହିଥିବା ପୀଠ ଦେବୀଙ୍କ ନିକଟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସକାଳେ ଦ୍ୱାରଫିଟା, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି, ସ୍ନାନ, ବେଶ କରାଯିବା ପରେ ମାଙ୍କ ପାଖେ ଧୂପ, ଦୀପ ଦେବାପରେ ଉଖୁଡା, ଖଇ, କୋରା, ଚୁଡାଘଷା, ପାଚିଲା କଦଳୀ, ବିଭିନ୍ନ ଫଳମୂଳ ସହିତ ପଇଡ ଆଦି ବାଳଭୋଗ କରାଯାଉଛି । ଦିପହର ଧୂପରେ ଠାକୁରାଣୀଙ୍କ ପାଖରେ ଖେଚାଡି, ଡାଲି, ଡାଲମା, ମସଲା ଡାଲି, ମାଛବେସର, ସାଧାତରକାରୀ, ପୋଡାମାଛ, ଖିରି, ଏଣ୍ଡୁରୀ , କାକରା, ପଣା, ପଇଡ ଆଦି ଭୋଗ କରାଯାଉଛି । ସ୍ରୋତ୍ରୀୟ ବ୍ରାହ୍ମଣବରଣ କରାଯାଇ ପୀଠ ଗୁଡିକରେ ଚଣ୍ଡିପାଠ, ହୋମ ଓ ଷୋଡଶଉପାଚାରରେ ମାଙ୍କୁ ପୂଜା ପାଠ କରାଯାଉଛି । ଗ୍ରାମ ମାନଙ୍କରେ ପାଳି ଅନୁଯାୟୀ ପରିବାର ମାନଙ୍କ ପକ୍ଷରୁ ମାଙ୍କୁ ଭୋଗ ଲାଗି କରାଯାଉଛି । ମହାଷ୍ଟମୀ ତିଥିରୁ ପରମ୍ପରା ଅନୁଯାୟୀ ଦେବୀ ପୀଠ ଗୁଡିକରେ ସ୍ୱତନ୍ତ୍ର ପୂଜାନୀତିକାନ୍ତି କରାଯାଇଥାଏ । ବଳିପ୍ରଥା ବନ୍ଦ ହୋଇ ଯାଇଥିବାରୁ ନବମୀ ଦିନ ଶ୍ରୀଜଗନ୍ନାଥଙ୍କ ଶୁଖିଲି ମହାପ୍ରସାଦ ଠାକୁରାଣୀଙ୍କ ପାଖରେ ସମର୍ପଣ କରାଯାଇଥାଏ । ଅନ୍ୟ କେତେକ ପୀଠରେ ପାଣି କଖାରୁ ବଳି ଭାବେ ପକାଯାଇଥାଏ । ଦଶହରା ଦିନ ବିଭିନ୍ନ ଗ୍ରାମ ମାନଙ୍କରେ ଶିବ ପାର୍ବତୀ ସୁସଜିତ ବିମାନ ବା ରଥରେ ବସି ଗ୍ରାମ ପରିକ୍ରମା କରିବା ସହ ଦୁଆରିଭୋଗ ଖାଇଥାନ୍ତି । ସେହିପରି ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ପାଖ ଗୋପାଳପୁର ପାଟଣା ଯାଇ ଦଶହରା ମଣ୍ଡପରେ ବସିବା ପରେ ସେଠାରେ ଲାଖବିନ୍ଧା ପର୍ବ କରାଯିବ । ସେହିପରି ମୃଣୟୀପୀଠ ଗୁଡିକ ରଙ୍ଗ ବେରଙ୍ଗ ଆଲୋକମାଳରେ ସୁସଜିତ ହେବା ସହ ମା ପୂଜା ପାଇଥାନ୍ତି । ଘରେ ଘରେ ପିଠା ପଣା କରାଯାଇଥାଏ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି