ସତ୍ୟବାଦୀର ବଳପୁର ଶାସନରେ ଭିନ୍ନ ପରମ୍ପରାରେ ବିଜୟାଦଶମୀ ପର୍ବ ପାଳିତ; ଦଶହରାରେ ନଦୀରେ ଚାପ ଖେଳିଲେ ଠାକୁର ଠାକୁରାଣୀ
ସାକ୍ଷୀଗୋପାଳ ----ରାଜ୍ୟରେ ସରକାରଙ୍କ କୋଭିଡ-୧୯ ଆଇନକୁ ମାନି ସମସ୍ତ ପୂଜା ମଣ୍ଡପରେ ପରଦା ପଛପଟେ ରହି ପୂଜା ପାଠ ଚାଲିଛି । ଭକ୍ତ ମାନେ ସିଧା ସଳକ ଭାବେ ମାଙ୍କୁ ଦର୍ଶନ କରି ପାରୁ ନାହାନ୍ତି । ପରଦା ପଛ ପଟେ ମାଙ୍କୁ ଦର୍ଶନ କରି ଯାଉଛନ୍ତି । ଏଥିଯୋଗୁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ଖାଁ ଖାଁ ହୋଇ ପଡିଛି । ରାଜ୍ୟର ବିଭିନ୍ନ ଯାଗାରେ ବିଭିନ୍ନ ପ୍ରକାରରେ ଦଶହରା ପର୍ବ ପାଳନ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ସେହିପରି ପୁରୀ ଜିଲାର ସତ୍ୟବାଦୀ ବ୍ଳକର ବଳପୁର ମୌଜାରେ ଦଶହରା ବା ବିଜୟାଦଶମୀ ଭିନ୍ନ ପରମ୍ପରା ଭାବରେ ପାଳନ କରାଯାଇଥାଏ । ଯାହାକି ଏଠାରେ ପାଳନ କରାଯାଉଥିବା ପ୍ରଥା ଓଡିଶାରେ କେଉଁଠାରେ ଦେଖିବାକୁ ମିଳେ ନାହିଁ ବୋଲି ବଳପୁର ବାଲୁଙ୍କେଶ୍ୱର ଟ୍ରଷ୍ଟବୋର୍ଡ ପକ୍ଷର ପରିଚଳାନା ନ୍ୟାସି ନିରଞ୍ଜନ ମହାପାତ୍ର କହନ୍ତି । ବଳପୁର ବାଲୁଙ୍କେଶ୍ୱର ଦେବଙ୍କ ନିମନ୍ତ୍ରଣ ଆଖ ପାଖ ଠାକୁରାଣୀ ମାନଙ୍କୁ ଏକବାର ଠାରୁ କରାଯାଇଥାଏ ।
ସେମାନେ ଆସିଲାପରେ ଷୋଳପୂଜାରେ ବାଲୁଙ୍କେଶ୍ୱର ଦେବଙ୍କ ପୀଠ ପରିସରରେ ଭାଗ ନେଇଥାନ୍ତି । ମାତ୍ର ଦଶହରା ବା ବିଜୟାଦଶମୀ ଦିନ ସେମାନଙ୍କୁ ମେଳାଣୀ ଦେବାର ପ୍ରକିୟା ଏଠାରେ ସ୍ୱତନ୍ତ୍ର ନିଆରା । ନିମନ୍ତ୍ରିତ ଠାକୁରାଣୀ ମାନଙ୍କୁ ନଦୀରେ ଚାପ ଖେଳିବା ସମୟରେ ସେମାନଙ୍କୁ ବିଦାୟ କରିବାର ପରମ୍ପରା ରହିଛି । ପରମ୍ପରା ଅନୁସାରେ ବଳପୁର ମୌଜାର ନିମନ୍ତ୍ରିତ ହୋଇ ଆସିଥିବା ଆନନ୍ଦପୁର ଓ ବଳପୁର ଗ୍ରାମର ତାରେଣୀ ଠାକୁରାଣୀ, କୁସୁମେଶ୍ୱର ଗ୍ରାମର ଉଗ୍ରତାରା ଓ ଦିହୁଡିସାହିର ଷଷ୍ଠିଦେବୀ ଙ୍କୁ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରର ଷୋଳପୂଜାରେ ଭାଗ ନେଇଥାନ୍ତି । ଷୋଡଶ ମନ୍ତ୍ର ଦ୍ୱାରା ଠାକୁରାଣୀ ମାନଙ୍କର ନୀତିକାନ୍ତି କରିବା ସହ ବିଭିନ୍ନ ଭୋଗ କରାଯାଇଥାଏ । ଦଶହରା ଦିନ ଅପରାହ୍ନରେ ଦେବୀ ମାନଙ୍କର ନୀତିକାନ୍ତି ସରିବା ପରେ ଛତି, ତ୍ରାସ ବୈରଖ, ଘଣ୍ଟ, ଘଣ୍ଟା, କାହାଳୀ,ମହୁରୀ, ବାଜା ବଯାଇ ସୁସଜିତ ଏକ ବିମାନରେ ବାଲୁଙ୍କେଶ୍ୱରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖରଙ୍କ ସହ ମାଙ୍କୁ ବିଦାୟ ଦେବାପାଇଁ ପୁଣ୍ୟତୋୟା ଭାର୍ଗବୀ ନଦୀର ସାଗରସ୍ନାନ ଘାଟକୁ ନିଆଯାଇଥାଏ । ସେଠାରେ ଅପେକ୍ଷାରତ ଦୁଇଟି ଡଙ୍ଗା ଏକାଠି କରାଯାଇ ମାଙ୍କୁ ବସାଯିବା ପରେ ସେବାୟତ ମାନେ ନୀତି ଅନୁସାରେ ପ୍ରଥମେ ଗଙ୍ଗାଦେବୀଙ୍କୁ ଗଙ୍ଗା ଆଳତୀ କରିଥାନ୍ତି । ତାପରେ ସେଠାରେ ଅପେକ୍ଷାରତ ଭକ୍ତ ମାନେ ଏହି ପବିତ୍ର ଦୃଶ୍ୟ ଦେଖିବା ପାଇଁ ଅପେକ୍ଷାରତ ରହିଥାନ୍ତି । କଥାରେ ଅଛି ଏହି ଦୃଶ୍ୟ ଦେଖିଲେ ବହୁପୁଣ୍ୟ ମିଳିଥାଏ । ଠାକୁରାଣୀ ମାନଙ୍କୁ ନଦୀ ମଧ୍ୟରେ ଚାପ ଖେଳି ବିଦାୟ ଦେବାର ପରମ୍ପରା ରହିଛି ।
ସେଠାରେ ଅପେକ୍ଷାରତ ସେବାୟତ ମାନେ ମାଙ୍କ ମନ୍ଦିରକୁ ନେବା ସମୟରେ ଦୁଆରୀ ଭୋଗ ଖୁଆଇ ମନ୍ଦିରକୁ ପ୍ରବେଶ କରାଇଥାନ୍ତି । ସେହିପରି ବୀରରାମଚନ୍ଦ୍ରପୁର ଗ୍ରାମର ମା ମଣିନାଗଦୁର୍ଗା ତାଙ୍କର ଭଉଣୀ ସାକ୍ଷୀଗୋପାଳ ଚନ୍ଦନପୋଖରୀ ଉପରେ ପୂଜିତ ମାଳେଶ୍ୱରୀଙ୍କୁ ଷୋଳପୂଜାପାଇଁ ନିମନ୍ତ୍ରିତ କରିଥିଲେ । ଦଶହରା ପର୍ବ ବା ନୀତି ସରିବା ପରେ ସେହିପରି ସୁସଜିତ ବିମାନରେ ଆଣି ପୂଜା ପାଉଥିବା ନିଜ ମନ୍ଦିରରେ ବିଦାୟ ଦେଇଥିଲେ । ଏହି ପରୀପେକ୍ଷିରେ ସେବାୟତ ମାନଙ୍କ ଦ୍ୱାରା ମାଳେଶ୍ୱରୀ ଦେବୀଙ୍କ ମନ୍ଦିର ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଏଠାରୁ ବିଦାୟ ଦେଇ ମା ମଣିନାଗ ଦୁର୍ଗା ଫେରିବା ବାଟରେ ବାସୁକେରା ଗ୍ରାମରେ ପୂଜିତ ମଙ୍ଗଳାଙ୍କ ପାଖରେ ଭୋଗ ଖାଇ ନିଜ ମନ୍ଦିର ବୀରରାମଚନ୍ଦ୍ରପୁର ଗ୍ରାମକୁ ଫେରିବା ପରେ ସେଠାରେ ମାଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା । ବିଭିନ୍ନ ଗ୍ରାମ ମାନଙ୍କରେ ଦଶହରା ପର୍ବ ପାଳିତ ହୋଇଯାଇଛି । ମହାମାୟାସାହି ବା ସାକ୍ଷୀଗୋପାଳ ୍େଷ୍ଟସନସ୍ଥିତ ପଡିଆ ଓ ନଡିଆ ବ୍ୟବସାୟୀ ସଂଘଙ୍କ ଦ୍ୱାରା ନଡିଆ ମାର୍କେଟ ପରିସରରେ ଦୁଇଟି ମାଙ୍କର ମୃଣୟ ମୂର୍ତ୍ତି ପୂଜା କରାଯାଇଛି ।
ସାକ୍ଷୀଗୋପାରୁ ଧୀରେନ୍ଦ୍ର ସେନାପତି