Breaking News

ଡେଲାଙ୍ଗ ହାଟ ବଜାରରେ ଶାରଦୀୟ ଦୁର୍ଗାପୂଜାରେ ମହାଷ୍ଟମୀରେ ଜିଅନ୍ତା ରୋହିମାଛକୁ ପୋଡି ବଳିଦେବା ପରମ୍ପରା ରହିଛି


 ଡେଲାଙ୍ଗ ----  ଡେଲାଙ୍ଗ ହାଟର ଶାରଦୀୟ ଦୁର୍ଗାପୂଜା ଆଜିବି ସ୍ୱତନ୍ତ ରହିଛି ।  ଶୁଣାଯାଏ ଏଠାରେ ଏକ ହାଟ ଅନୁଷ୍ଠିତ ହୋଉଥିଲା । ହାଟକୁ ବ୍ୟବସାୟ କରିବା ପାଇଁ  କେତେଜଣ ବଙ୍ଗୀୟ ବ୍ୟବସାୟୀ ମାନେ ଆସୁଥିଲେ । ସେମାନେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହଯୋଗ ନେଇ ହାଟବଜାର ପରିସରରେ  ଶାରଦୀୟ ଦୁର୍ଗାପୂଜା ଆରମ୍ଭ କରିଥିବା ଅନୁମାନ କରାଯାଏ । ଏଠାରେ ସମ୍ପୁର୍ଣ୍ଣ ଭାବରେ ବଙ୍ଗୀୟ  ବିଧିବିଧାନ ଓ ଶାସ୍ତ୍ର ମତ ଅନୁସାରେ ଦୁର୍ଗାପୂଜା  ଅନୁଷ୍ଠିତ ହୋଇଆସୁଛି ।  ମାଙ୍କର ପୂଜା ୪ଦିନ ଧରି ଅନୁଷ୍ଠିତ ହୋଇଥାଏ । ଉକ୍ତ ପୂଜାରେ ମୂତ୍ତିନିର୍ମାଣ ତଥା ପୂଜାବିଧିକୁ ନେଇ ବହୁ ସ୍ୱତନ୍ତ୍ରତା ରହିଛି । ପ୍ରଥମ ଦିନ ଅର୍ଥାତ ଷଷ୍ଠୀତିଥିରୁ ବିଲ୍ୱ ଦିବସପାଳନ କରାଯାଏ । ଏହି ଦିନ ବେଳଗଛକୁ ଶ୍ରୋତୀୟ ବ୍ରାହ୍ମଣ ମାନେ ମନ୍ତ୍ର ପାଠ କରି  ବରଣ କରିଥାନ୍ତି । ୨ୟ ଅର୍ଥାତ ସପ୍ତମୀ ତିଥିରେ ନବପ୍ରତ୍ରିକା  ସ୍ନାନ, ନବପତ୍ରିକାପୂଜା, ମାଙ୍କର ପ୍ରାଣ ପ୍ରତିଷ୍ଠା, ଷୋଡଶ ଉପଚାର ବିଧିପରେ ଦେବୀଙ୍କୁ କ୍ଷୀରି, ଖେଚୁଡି, ଛଣାପୀଠା ଭୋଗ କରାଯାଇଥାଏ । ୩ୟ ଦିବସ ଅର୍ଥାତ ଅଷ୍ଟମୀ ତିଥିରେ ସକାଳୁ ସ୍ନାନ, ବାଳଭୋଗ, ଆଳତି, ଚଣ୍ଡୀପାଠ, ବଗଳା, ଅପରାଜିତା, ପାଠ କରାଯାଏ । ଅପରାହ୍ନରେ ମାଙ୍କ ପାଖରେ ୧୦୮ ଦୀପ ସହିତ ୧୦୮ ପଦ୍ମଫୁଲ ଅର୍ପଣ କରାଯାଏ । ପରେ ପରେ ଚଣ୍ଡୀପାଠ, ସନ୍ଧ୍ୟାରେ ଆଳତି, ଓ ମଧ୍ୟ୍ୟ ରାତ୍ରିରେ ପଶୁମନ୍ତ୍ର ଉଚ୍ଚାରଣ ସହିତ ପାଣିକଖାରୁ ବଳି ପ୍ରଦାନ ପରେ ଏକ  ୨ରୁ ୩କିଲୋ ଓଜନର ଜୀଅନ୍ତା ମାଛକୁ ନିଆଁରେ ପୋଡାଯାଇ ବଳି ରୂପେ ପ୍ରଦାନ କରାଯାଏ । ଏହି ପୋଡାମାଛ ବଳି ପ୍ରଥା ପଛରେ ଥିବା ରହସ୍ୟ ଏବେବି ଗୋପନୀୟତା ଭାବରେ ରହିଛି । ଅନ୍ୟପକ୍ଷେ ଏହି ପ୍ରଥା ବହୁଦିନରୁ ରହିଆସିଛି । ଏ ସଂକ୍ରାନ୍ତରେ କୌଣସି  ସଠିକ ପୌରାଣିକ ତଥ୍ୟ ନ ମିଳିଲେ ମଧ୍ୟ ପ୍ରଚଳିତ ପ୍ରଥା ଅନୁସାରେ ଏହି ପ୍ରଥା ପଚଳିତ ହୋଇ ଆସୁଛି । ଏହି ପୋଡାମାଛକୁ ତରକାରୀ କରାଯିବା ସହ ଛଣାପିଠା, କ୍ଷୀରି ଓ ଖେଚୁଡି ଭୋଗ କରାଯାଇଥାଏ । ଏହାକୁ ପ୍ରସାଦ ଭାବରେ  ପାଇବା ପାଇଁ ଆଖପାଖ ଅଞ୍ଚଳର ଭକ୍ତମାନେ ଅପେକ୍ଷା କରିଥାନ୍ତି । ନବମୀ ତିଥିରେ ସକାଳୁ ଦେବୀଙ୍କୁ ମହାସ୍ନାନ କରାଯାଏ । ପାରମ୍ପାରିକ ଭୋଗ ଅର୍ପଣ ପରେ ସନ୍ଧିପୂଜା ଅନୁଷ୍ଠିତ ହୁଏ । ଦଶମୀ ଓ ଏକାଦଶୀ ତିଥିରେ ମଧ୍ୟ ଦେବୀଙ୍କ ପୀଠରେ ରନ୍ଧାଭୋଗ ଅର୍ପଣ କରାଯାଏ । ଏକାଦଶୀ ତିଥିରେ ଅପରାହ୍ନରେ ମାଙ୍କର ପ୍ରତିମାକୁ ବିସର୍ଜନ କରାଯାଇଥାଏ । ଉକ୍ତ ପୀଠରେ ମାଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଡେଲାଙ୍ଗ ହାଟବଜାରରେ ଗହଳି ଲାଗିଥାଏ ।  ମାତ୍ର ଏ ବର୍ଷ କୋଭିଡ-୧୯ ଆଇନକୁ ମାନି ପୂଜା କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ କାଟ ଛାଟ କରାଯାଇ କେବଳ ମାଙ୍କ ପୂଜା ନୀତିକାନ୍ତି କରାଯାଉଛି ।    ସେହିପରି ଡେଲାଙ୍ଗ ଷ୍ଟେସନ ବଜାର  ପୂଜା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନକୁ ମାନି ପୂଜା ପାଠ କରାଯାଉଛି । ବୈରାଗୀ ଜେନା, ପଦ୍ମନାଭ ବରାଳ, ପ୍ରକାଶ ଜେନା, ପ୍ରଭାତ ଜେନା ଓ ଦୀପକ ମିଶ୍ର ପ୍ରମୁଖ ଉପସ୍ଥିତି ରହି ପୂଜା ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି     

Blog Archive

Popular Posts