ଆହତ ହରିଣ ଉଦ୍ଧାର; ଚିକିତ୍ସା ପାଇଁ ଜଙ୍ଗଲ ବିଭାଗ ନେଲା
ଜଟଣୀ -ସ୍ଥାନୀୟ ବାଛରା ପାଟଣା ପାଖ ଇନ୍ଦିରା ପଡ଼ିଆରୁ ଏକ ଆହତ ହରିଣକୁ ସ୍ଥାନୀୟ କିଛି ଯୁବକ ମାନେ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ ଆଜି ସକାଳ ଦଶଟା ସମୟରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଇନ୍ଦିରା ପଡିଆ ଘଞ୍ଚ ବୁଦା ମୂଳରେ ଏକ ହରିଣ ଶୋଇଥିବାର ଦେଖିବାକୁ ପାଇଥିଲେ । ଏହି ଖବର ସ୍ଥାନୀୟ କିଛି ଯୁବକଙ୍କୁ ଜଣାଇ ଥିଲେ । ସ୍ଥାନୀୟ ଯୁବକମାନେ ଆସି ଦେଖିଲେ ପ୍ରକୃତରେ ଏକ ହରିଣ ଆହତ ଅବସ୍ଥାରେ ପଡ଼ିରହିଛି । ହରିଣଟିର ଗୋଡ଼ରେ ବହୁତ ଯୋରରେ ଆଘାତ ଲାଗିଛି, ଯାହାକି ହରିଣ ଠିଆ ହେବାର ଶକ୍ତି ନାହିଁ । ପରେ ଆଘାତ ସ୍ଥାନରେ ହଳଦୀ ଲଗାଇ କନା ପଟି ବାନ୍ଧିଦେଇଥିଲେ ଯୁବକ ମାନେ । ପରବର୍ତ୍ତୀ ସମୟରେ ଯୁବକମାନେ ଜଟଣୀ ପୋଲିସ ପରେ ଖୋର୍ଦ୍ଧା ବନବିଭାଗକୁ ଜଣାଇଥିଲେ । ପୋଲିସ ଏବଂ ବନବିଭାଗ କର୍ମଚାରୀ ସହ ଫରେଷ୍ଟର ସାଧୁ ଚରଣ ମହାପାତ୍ର ଆସି ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଯାଇଥିବା ଜଣାପଡିଛି ।
ଜଟଣୀରୁ --ରଙ୍ଗନାଥ ବେହେରା