ଘାଇ ମରାମତିକୁ ନେଇ ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ଭାଗ ଛିଣ୍ଡୁନି ; ଘାଇ ମୁକୁଳା ପଡିଛି
ଡେଲାଙ୍ଗ ------ଘାଇ ହେବା ଏକମାସ ପ୍ରାୟ ହେବ । ଏବେବି ମୁକୁଳା ପଡିଛି । ଚାରି ସାହିର ଲୋକମାନେ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଦୁଇ ଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଚାରି ସାହିର କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା । ସୁଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତ ସବୁଠାରୁ ଖାଲୁଆ ଅଞ୍ଚଳ ଭାବେ ବେଶ ପରିଚିତ । ଡେଲାଙ୍ଗରୁ ବନ୍ୟା ପାଣି କମିଲେ ଧାନକେରାରେ ବନ୍ୟା ସୃଷ୍ଟି ହେବ । ୧୫ ଦିନଧରି ବନ୍ୟା ପାଣି ଗ୍ରାମ ଦାଣ୍ଡରେ ଲହଡି ଭାଙ୍ଗିବ । ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିଥାନ୍ତି । ଧାନକେରା ଗ୍ରାମ ପଞ୍ଚାୟତର ଚଣ୍ଡୀ ଛକରେ ୧୦ରୁ ୧୫ ଫୁଟ ଲମ୍ବାର ଏକ ଘାଇ ସେପ୍ଟେମ୍ବର ୩ ତାରିଖ ରାତିରେ ହୋଇଥିଲା । ଆଜି ବି ସେଇ ଘାଇ ମରାମତି କରାଯାଇ ପାରିନାହିଁ । ଏହି ଘାଇଟି ଆରଡି ରାସ୍ତା ଉପରେ ହୋଇଛି । ଏବେ ଘାଇ ମରାମତି ପାଇଁ ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ଭାଗ ନ ଛିଣ୍ଡିବାରୁ ଘାଇ ମରାମତି ନ ହୋଇ ଏବେ ବି ପଡି ରହିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ଘାଇ ମରାମତି କରିବା ପାଇଁ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଗ୍ରାମାବସୀ ମାନେ ନିବେଦନ କରିଛନ୍ତି । ନଚେତ ଆଗାମି ଦିନରେ ରାଜରାସ୍ତାକୁ ଗ୍ରାମବାସୀ ମାନେ ଓହ୍ଳାଇବେ ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି