ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଯୁବ ରେଡକ୍ରସର ପ୍ରାଥମିକ ଉପଚାର ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ :- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆଜି ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଏକ ପ୍ରାଥମିକ ଉପଚାର ଶିବିର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡାଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରର ଉଦଘାଟନ ଉତ୍ସବରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ଡାକ୍ତର ପ୍ରୀତମ ବାଗ ମୁଖ୍ୟଅତିଥିଭାବେ ଯୋଗଦେଇ ପ୍ରାଥମିକ ଉପଚାରର ସଂଜ୍ଞା ଓ ଏହାର ଉପଯୋଗିତା ସମ୍ପର୍କରେ ସ୍ବେଚ୍ଛାସେବୀ ମାନଙ୍କୁ ବୁଝାଇଥିଲେ । ଅଧକ୍ଷ ଡ଼ଃ ପରିଡା ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢିବା ସହ ଜୀବନ ବଞ୍ଚିବାର ବହୁବିଧ କୌଶଳରେ ନିପୁଣ ହେବାପାଇଁ ନାଟକ, ସଂଗୀତ, ଚିତ୍ର, ସାହିତ୍ୟ, କ୍ରୀଡା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବାପାଇଁ କହିଥିଲେ । ଅନ୍ୟତମ ଅତିଥି ତଥା ଅନୁଷ୍ଠାନର ମୁଖ୍ୟ କିରାଣୀ ଶ୍ରୀ ରାଜକିଶୋର ପତି ଏଭଳି ଜରୁରୀକାଳୀନ ସେବାର କୌଶଳ ହାସଲ କରି ସମାଜର ସେବା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ପ୍ରାଥମିକ ଉପଚାର ଶିବିର (First Aid Training )କୁ ଡେଲାଙ୍ଗ ଡିଗ୍ରୀ କଲେଜର ରେଡ଼କ୍ରସ ପରାମର୍ଶଦାତା ତଥା ବିଶିଷ୍ଟ ସାମାଜିକ ଅପଦକାଳୀନ ପ୍ରଶିକ୍ଷକ ଅଧ୍ୟାପକ ଶ୍ରୀ ତ୍ରିନାଥ ପରିଡା ପରିଚାଳନା କରିଥିଲେ । ପ୍ରଥମ ପ୍ରାଥମିକ ଉପଚାରକ କୌଣସି ରୋଗୀ ବା ଦୁର୍ଘଟଣା ଗ୍ରସ୍ତ ଲୋକ ପାଇଁ ପ୍ରଥମ ଈଶ୍ୱର ତୁଲ୍ୟ ଓ ଡାକ୍ତର ହେଉଛନ୍ତି ଦ୍ଵିତୀୟ ଜୀବନ୍ତ ଈଶ୍ୱର ବୋଲି କହିଥିଲେ । ଏଥିସହିତ ଶ୍ରୀ ପରିଡା ପ୍ରାଥମିକ ଉପଚାର, ରକ୍ତଶ୍ରାବ ପରିଚାଳନା, ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ହାତ ଭଙ୍ଗାର ପରିଚାଳନା, ପରିବହନ ଜନିତ କୌଶଳ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରିଶେଷରେ ପିଲାମାନେ ଏହି କୌଶଳକୁ ଅଭ୍ୟାସ କରିବା ସହିତ ଏହାକୁ ପ୍ରସାର କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ ।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଯୁବ ରେଡ଼କ୍ରସ ପରାମର୍ଶଦାତା ପ୍ରାଧ୍ୟାପକ ମନୋଜ ପରିଡା, ଅନ୍ୟତମ ପରାମର୍ଶ ଦାତା ପ୍ରାଧ୍ୟାପକ ଜ୍ୟୋତି ପ୍ରକାଶ ରଥ, କ୍ରୀଡା ଶିକ୍ଷକ ରଘୁନାଥ ପରିଡା ପ୍ରମୁଖ ସହଯୋଗ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୦/୨୦୨୨---୯,୪୦ Sakhigopal News,13/10/2022