ବିଶ୍ୱାସ ଜନ୍ମାଇ ବିଶ୍ୱାସଘାତ ; ଦଶପଲ୍ଲା ସବ - ଜେଲ ରୁ କଏଦୀ ଫେରାର
ନୟାଗଡ଼----ଜେଲ ୱାଡ଼ର୍ ଙ୍କ ମନରେ ବିଶ୍ୱାସ ଜନ୍ମାଇ ଜଣେ କଏଦୀ ଚକ୍ମମା ଦେଇ ଦଶପଲ୍ଲା ସବ - ଜେଲ ରୁ ଫେରାର ହୋଇ ଯାଇଛି । ଫେରାର କଏଦି ଙ୍କ ନାମ ହିମାଂଶୁ ଶେଖର ନାଏକ ଓ ତାଙ୍କ ଘର କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଜିଲିଣ୍ଡା (ବସନ୍ତପୁର) ଗ୍ରାମ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ନଭେମ୍ବର ୨୭ ତାରିଖରେ ହିମାଂଶୁ ତାର ଶଶୁର ଘର ଗଣିଆ ଥାନା ଅନ୍ତର୍ଗତ ଛାଡମୁଳ ଠାରେ ତାର ସ୍ତ୍ରୀ କୁ ହତ୍ୟା କରିଥିଲା । ଏହା ପରେ ହିମାଂଶୁ ତାର ସ୍ତ୍ରୀ ର ଶବ କୁ ନେଇ ଏକ ପଥର ଖୋଲ ରେ ରଖିବା ସହ ଏକ ବୁଦା ମୂଳେ ଲୁଚି ରହିଥିବା ବେଳେ ପୋଲିସ ହିମାଂଶୁ କୁ ଗିରଫ କରିଥିଲା। ପରେ ପୋଲିସ ୫୯/୨୦୨୦ ରେ ଏକ ହତ୍ୟା ମୋକଦ୍ଦମା କରିବା ସହ ହିମାଂଶୁ କୁ ଗିରଫ କରି ୨୮.୧୧.୨୦୨୦ ରେ କୋର୍ଟ ଚାଲାଣ କରିଥିଲା । ସେହି ଦିନ ଠାରୁ ହିମାଂଶୁ ଦଶପଲ୍ଲା ସବ-ଜେଲ ରେ ରହି ଆସୁଥିବା ବେଳେ ଜେଲ ମଧ୍ୟ ରେ ହିମାଂଶୁ ଜେଲ ୱାର୍ଡମାନଙ୍କ ମଧ୍ୟରେ ବିଶ୍ୱାସ ଭାଜନ ହୋଇ ପାରିଥିଲା । ମଙ୍ଗଳବାର ୨୫ ତାରିଖ ଦିନ ହିମାଂଶୁ କୁ ଜେଲ କତୃପକ୍ଷ ସଫେଇ କାର୍ଯ୍ୟରେ ନିୟୋଜିତ କରିଥିବା ବେଳେ ମଇଳା ଗୁଡ଼ିକୁ ଜେଲ ବାହାରେ ପକାଇବା ପାଇଁ କହିଥିଲା । ଏହାକୁ ବିଶ୍ୱାସ କରି ଦାୟତ୍ବରେ ଥିବା ଜେଲ ୱାର୍ଡର କୃଷ୍ଣ ଚନ୍ଦ୍ର ଜେନା ଜେଲ ଗେଟ ର ତାଲା ଖୋଲିଦେଇଥିଲେ । ପରେ ହିମାଂଶୁ ଅଳିଆ ଧରି ଗେଟ ବାହାରକୁ ଯାଇଥିବା ବେଳେ ଅଳିଆ ପକାଇ ଚକମା ଦେଇ ଦଉଡ଼ି ପଲାଇଥିଲା । ଏହି ଘଟଣା ରେ ଦଶପଲ୍ଲା ସବ - ଜେଲର ମାନସ ରଞ୍ଜନ ସାମନ୍ତ ଦଶପଲ୍ଲା ଥାନା ରେ ହିମାଂଶୁ ଫେରାର ସମ୍ପର୍କ ରେ ଏଫ୍ ଆଇ ଆର କରିଥିବା ବେଳେ ପୋଲିସ ପକ୍ଷରୁ ଏକ ମୋକଦ୍ଦମା କରାଯାଇ ଏହାର ତଦନ୍ତ ଜାରି ରହିଛି । ଖବର ଲେଖାଯିବା ସୁଦ୍ଧା ପୋଲିସ ହିମାଂଶୁ କୁ ଧରିପାରିନାହିଁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୧୦/୨୦୨୨----୯,୪୫ Sakhigopal News,26/10/2022