ବିପର୍ଯ୍ଯୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ଖୋର୍ଦ୍ଧା-- ବିପର୍ଯ୍ଯୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଧିକାରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ବିଜେବି ହାଇସ୍କୁଲରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ବିପର୍ଯ୍ୟୟ ସମୟରେ ବିଭିନ୍ନ ଆତ୍ମ ଓ ଜୀବନରକ୍ଷାକାରୀ କୌଶଳ ପ୍ରଦର୍ଶନ କରାଯାଇଥିଲା ।
ପରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ "ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ସ୍ଥାପକତାରେ ଗୋଷ୍ଠୀର ଭୂମିକା" ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ବେଳେ ସହଯୋଗରେ ଦୁର୍ବିପାକର ମୁକାବିଲା କରାଯାଇ ପାରିବ । ଦୈବୀ ଦୁର୍ବିପାକ ସଂପର୍କିତ ସଠିକ ସୂଚନା ସହ ଠିକଣା ସମୟରେ ତ୍ବରିତ ପଦକ୍ଷେପ ଗ୍ରହଣ ଓ ସତର୍କତା ଅବଲମ୍ବନର ଆବଶ୍ୟକତା ରହିଛି । ବିଶେଷ କରି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ, ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନଙ୍କ ପ୍ରତି ସଂପୃକ୍ତ ଅଞ୍ଚଳରେ ଜନସାଧାରଣଙ୍କ ସହଯୋଗ ରହିଲେ ବିପର୍ଯ୍ୟୟ ପରବର୍ତ୍ତି ପରିସ୍ଥିତିକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ପ୍ରସ୍ତୁତିର ଶପଥ ପାଠ କରାଯାଇଥିଲା । ଏତଦବ୍ୟତୀତ ଉକ୍ତ ଦିବସ ପାଳନ ଅବସରରେ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତରା କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦିଗନ୍ତ ରାଉତରାୟ, ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀମତୀ ଉର୍ମିପ୍ରଭା ମହାରଣା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ତରାଇ, ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମନୋଜ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣିଶ୍ରୀ ପଟ୍ଟନାୟକ, ଓସଡମା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ସୁକାନ୍ତ କୁମାର ଦାଶ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଖୋର୍ଦ୍ଧା ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧୦/୨୦୨୨---୯,୫୦ Sakhigopal News,29/10/2022