ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଜଟଣୀ : ଜଟଣୀ ଥାନା ଅନ୍ତର୍ଗତ ରଙ୍ଗଣୀ ସାହିର ପ୍ରବେଶ ପଥ ଠାରେ ଅବସ୍ଥିତ ଜାଗେଶ୍ୱରୀ ୟୁଥ କ୍ଲବକୁ ଲାଗି ଥିବା ଏକ କମ୍ୟୁନିଟି ହଲ ମଧ୍ୟରେ ଗଳାକଟା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛନ୍ତି l ମୃତ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ବଅଙ୍ଗ ଗ୍ରାମର ପ୍ରଫୁଲ୍ଲ କୁମାର ବାରିକ (୪୪) l ବୁଧବାର ପୂର୍ବାହ୍ନ ପ୍ରାୟ ୧୦ ଘଟିକା ପର୍ଯ୍ୟନ୍ତ ପ୍ରଫୁଲ୍ଲଙ୍କୁ ଅଞ୍ଚଳବାସୀ ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିଥିଲେ l ତେବେ ସେ କେଉଁ ପରିସ୍ଥିତିରେ ଏହା ପରିସରକୁ ଆସିଲେ ଏବଂ ଏଭଳି ବିଭତ୍ସ ମୃତ୍ୟୁର ସମ୍ମୁଖୀନ ହେଲେ ତାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି l ତେବେ କିଛି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଛି ସେ ଅନବରତ ନିଶାସକ୍ତ ଅବସ୍ଥାରେ ରହୁଥିଲେ l ହେଲେ ଘଟଣା ଘଟିବା ସମୟରେ ସେ ଏକାକୀ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ ନା ଆଉ କିଏ ଥିଲେ ତାକୁ ନେଇ ସାଧାରଣରେ ହତ୍ୟା ସନ୍ଦେହ କରାଯାଉଛି l ଆଉ କିଛି ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି ନିକଟରେ ଥିବା ସ୍କୁଲର କିଛି ଛାତ୍ର ଖାଇବା ଛୁଟିରେ ଏଠାରେ ବୁଲୁଥିବା ବେଳେ ଏହି ମୃତ ଶରୀରକୁ ଦେଖି ଅନ୍ୟମାନଙ୍କୁ କହିବା ପରେ ଘଟଣା ପ୍ରଚାରିତ ହୋଇଥିଲା l ଖବର ପାଇ ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହିତ ଘଟଣାକୁ ତଦନ୍ତ ପରିସରକୁ ଆଣିଥିଲେ l ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳକୁ ଆସି ଆବଶ୍ୟକ ତଦନ୍ତ କରିବା ପରେ ପୁଲିସ ମୃତ ଦେହକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲେ I ଏ ନେଇ ଥାନାରେ ୩୨୨/୨୪ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ସନ୍ଦେହରେ କିଛି ଯୁବକଙ୍କ ଉପରେ ତିକ୍ଷ୍ଣ ନଜର ରଖିଥିବା ଶୁଣିବାକୁ ମିଳିଛି l ଅପରପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଏକ ପ୍ରକାର ସ୍ପଷ୍ଠ ହେବା ସହିତ ତଦନ୍ତର ଦିଗ ନିଶ୍ଚିତ ହୋଇଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୮/୨୦୨୪-----୭,୨୫ Sakhigopal News,15/8/2024