ଫାଇଲିନ୍" କୁ ୯ ବର୍ଷ ... ଏବେବି ବଡନଦୀରେ ପାଣି ଚହଲିଲେ , ଲୋକଙ୍କ ଭିତରେ ଛନକା ପଶେ
ଭଞ୍ଜନଗର - ପ୍ରଳୟଙ୍କରୀ “ଫାଇଲିନ୍” ବାତ୍ୟା ଓ ବନ୍ୟା କୁ ପୁରିଛି ୯ ବର୍ଷ । ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ଏହି ପ୍ରାକୃତିକ ବିପର୍ଯ୍ୟୟ ଉଜାଡି ଦେଇଥିଲା ଲୋକଙ୍କ ଜୀବିକା ଓ ଜୀବନଶୈଳୀ । ପ୍ରଭାବିତ ହୋଇଥିଲା ଆର୍ଥିକ ପରିସ୍ଥିତି । ଦଶଦିନ ରୁ ଉର୍ଦ୍ଧ୍ବ ଦିନ ଧରି ଜଳବନ୍ଦୀ ହୋଇଥିଲେ ୫ ଖଣ୍ଡ ଗାଁର ଲୋକେ । ଧୋଇ ହୋଇଯାଇଥିଲା ରାସ୍ତା ଘାଟ । ବଡ଼ବଡ଼ ଗଛ ରୁ ଆରମ୍ଭ କରି ବିଜୁଳି ଖୁଣ୍ଟ , ଛପର ଘର , ଚାଷଜମି , ପରିବା କ୍ଷେତ ସମ୍ପୁର୍ଣ୍ଣ ଉଜୁଡି ଯାଇଥିଲା । ଏ ହେଉଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକରେ ୨୦୧୩ ଅକ୍ଟୋବର ୧୨ ତାରିଖ ରେ ଫାଇଲିନ୍ ବାତ୍ୟା ଓ ତା'ପରଦିନ ପ୍ରଳୟଙ୍କରୀ ବନ୍ୟା ର ତାଣ୍ଡବଲୀଳା ଘଟଣା । ୧୨ ତାରିଖ ସନ୍ଧ୍ୟାରେ ଧିରେଧିରେ ଆରମ୍ଭ ହୋଇଥିଲା ଫାଇଲିନ ବାତ୍ୟା ର ପ୍ରକୋପ । ପରଦିନ ସକାଳୁ ଇଙ୍ଗିନାଠି ପଞ୍ଚାୟତର ଉପର ମୁଣ୍ଡରେ ଭାଙ୍ଗିଲା ବଡନଦୀ ହିଡ । ମାଡ଼ି ଆସିଲା ବନ୍ୟାପାଣି । ପ୍ରଭାବିତ ହେବାକୁ ଲାଗିଲା , ଗୋଟିଏ ପରେ ଗୋଟିଏ ଅଞ୍ଚଳ । ଦୁର୍ବିସହ ହୋଇପଡ଼ିଲା , ହଜାର ହଜାର ଲୋକଙ୍କ ଜୀବନ । ତ୍ରାହି ତ୍ରାହି ଡାକିଲେ ପିଲାଠୁ ବୟସ୍କ । ଅବଶ୍ୟ ପ୍ରଶାସନର ଆଗୁଆ ପଦକ୍ଷେପ ଯୋଗୁଁ ଲୋକଙ୍କ ଜୀବନ ସିନା ସୁରକ୍ଷିତ ହୋଇଗଲା ହେଲେ ବନ୍ୟାପାଣି ଇଙ୍ଗିନାଠି ପଞ୍ଚାୟତର ମନ୍ଦାର , ଇଙ୍ଗିନାଠି , ରତଙ୍ଗ , ସାରିଆପଲ୍ଲୀ ଓ ବଲାଡି ଗାଁ କୁ ବୁଡେଇ ରଖିଲା । ଗୋଟିଏ ପରେ ଗୋଟିଏ ଗାଁ କୁ ମାଡିଗଲା ପ୍ରାୟ ୧୦ ଫୁଟ ଉଚ୍ଚର ବନ୍ୟା ପାଣି । ପ୍ରଳୟଙ୍କରୀ ରୂପକୁ ପ୍ରମାଣିତ କରିବା ପାଇଁ “ବାତ୍ୟା” ଓ “ବନ୍ୟା” ସତେଯେମିତି ଡକା-ଡକି ହୋଇ ଆସିଥିଲେ ଏହି ଅଞ୍ଚଳକୁ । ପ୍ରଶାସନ ପକ୍ଷରୁ ସେହି ସମୟରେ ସବୁପ୍ରକାର ବ୍ୟବସ୍ଥା ହେଲା ସତ , ହେଲେ ଲୋକଙ୍କ ଦେହରେ ଲାଗିଥିବା , ବନ୍ୟା ଓ ବାତ୍ୟାର କ୍ଷତଚିହ୍ନ ଏଯାଏଁ ଶୁଖିପାରିନାହିଁ ।
ଶହଶହ ଏକର ଚାଷଜମି ବାଲିଚର ହୋଇଗଲା । ଯାହାକି ଆଜି ପର୍ଯ୍ୟନ୍ତ ସେ ସବୁର ପୁନରୁଦ୍ଧାର ହୋଇ ପାରିନି । ସେହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଙ୍ଗିନାଠି ପଞ୍ଚାୟତକୁ “ପୋଷ୍ୟ-ପଞ୍ଚାୟତ” ଘୋଷଣା ହେଲା । ପରବର୍ତ୍ତୀ ସମୟରେ ରାସ୍ତାଘାଟ , ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକଙ୍କୁ କିଛିକିଛି ସହାୟତା ବ୍ୟତିଚ ଅଧିକାଂଶ ପ୍ରଭାବିତ ଲୋକଙ୍କ ସମସ୍ୟା ଏପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବା ଅଭିଯୋଗ ହେଉଛି । ଏହା ବ୍ୟତୀତ ପ୍ରତ୍ୟେକ ବର୍ଷ “ବଡନଦୀ” ରେ ବନ୍ୟାପାଣି ଆସିଲେ , ସ୍ଥାନୀୟ ଅଞ୍ଚଳବାସୀ ଙ୍କ ଭୟ ଦିଗୁଣିତ ହୋଇଯାଉଛି ।
ଏବେବି ଅଧିକାଂଶ ବନ୍ୟା ପୀଡ଼ିତ ଖୋଜୁଛନ୍ତି "ପୋଷ୍ୟ ପଞ୍ଚାୟତ"ର ସଂଜ୍ଞା କୁ । ସବୁ ପରେ ବି ଫାଇଲିନ୍ ର ୯ ବର୍ଷ ପରେ ବି ଅନ୍ତତଃ ଏସବୁର ସମସ୍ୟା ର ସ୍ଥାୟୀ ପ୍ରତିକାର କରାଯିବା ସହ ବଡନଦୀ ରେ ବନ୍ୟା ନିୟନ୍ତ୍ରଣ ଏବଂ ଲୋକଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ଜରୁରୀ ହୋଇଛି ବୋଲି ସାଧାରଣରେ ରେ ମତପ୍ରକାଶ ପାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୯/୨୦୨୨---୬,୪୫ Sakhigopal News,12/9/2022