ସଙ୍ଗରୋଧ ଗୃହର ଅବଧି ସାରି ଘରକୁ ପ୍ରତ୍ୟାବର୍ତ୍ତନ କଲେ ୧୪୦ ଜଣ ପ୍ରବାସୀ
ଓଡ଼ଗାଁ/କୁରାଳ - ସଙ୍ଗରୋଧ ଗୃହରେ ଅବଧି ସରିବା ପରେ ଘରକୁ ଫେରୁଛନ୍ତି ବାହାର ରାଜ୍ୟ ଫେରନ୍ତା ।ଘରକୁ ଫେରୁଥିବା ପ୍ରବାସୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସମସ୍ତଙ୍କୁ ଉତ୍ସାହିତ କରି ସରପଞ୍ଚମାନେ ବିଦାୟ ଦେଉଛନ୍ତି ।
ସୂଚନା ଅନୁଯାୟୀ ଆଜି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରାୟ ୧୪୦ ଜଣ ଘରକୁ ଗମନ କରିଛନ୍ତି ସେମାନେ ଘରକୁ ଫେରି ଘରେ ମଧ୍ୟ ନିଜକୁ ସାତ ଦିନ ପାଇଁ ଗୃହବନ୍ଦୀ କରି ରଖିବେ ବୋଲି ବିଭିନ୍ନ ସରପଞ୍ଚ ମାନେ କହିଛନ୍ତି ।ଆଜି ଗିରିଡିପଲ୍ଲୀ ଗ୍ରାମପଞ୍ଚାୟତ ଝାଡ଼ସାହି ସଙ୍ଗରୋଧ ଗୃହରେ ଥିବା ୯୧ ଜଣ ପ୍ରବାସୀଙ୍କୁ ସରପଞ୍ଚ ସନ୍ୟାସୀ ପ୍ରଧାନ କୋଭିଡ ୧୯ ଆନୁଷ୍ଠାନିକ ସଙ୍ଗରୋଧ ଅବ୍ୟାହତ ପ୍ରମାଣ ପତ୍ର, କୋଭିଡ ୧୯ ସଙ୍ଗରୋଧ ଡ଼ିସଚାର୍ଜ ପ୍ରମାଣପତ୍ର ସହିତ ସମସ୍ତଙ୍କୁ ଗୋଲାପ ଫୁଲ ଦେଇ ବିଦାୟ ଦେଇଥିଲେ ।ଠିକ ସେହିପରି କୋମଣ୍ଡ ଉଚ୍ଚ ବିଦ୍ୟାଳୟରେ ଥିବା ୪୫ ଜଣ ପ୍ରବାସୀ ମାନଙ୍କୁ ସରପଞ୍ଚ ସୁଶାନ୍ତ ଦଳେଇ ସଂଲଗ୍ନ ପ୍ରମାଣପତ୍ର ସହିତ ଶୁଭ ବିଦାୟ ଦେଇଥିଲେ ।ଉକ୍ତ ୪୫ଜଣଙ୍କ ମଧ୍ୟରୁ ୩୮ଜଣ ପୁରୁଷ ଥିବାବେଳେ ତିନିଜଣ ଶିଶୁ ଏବଂ ୪ ଜଣ ମହିଳା ଅଟନ୍ତି ବୋଲି ସରପଞ୍ଚ ସୂଚନା ଦେଇଛନ୍ତି । ସେହିପରି ପନ୍ତିଖାରି ଗ୍ରାମପଞ୍ଚାୟତ ସଙ୍ଗରୋଧ ଗୃହରେ ଥିବା ୪ ଜଣ ପ୍ରବାସୀ ଅବଧି ସରିବା ପରେ ଘରମୁଁହା ହୋଇଛନ୍ତି ।
ରିପୋର୍ଟ -ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ