ହାତୀ ଆକ୍ରମଣରେ ମହିଳା ଗୁରୁତର ଆହତ
ବେଗୁନିଆ- ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ପଞ୍ଚାୟତର କାଳଚୁଆ ପାଟଣା ଗ୍ରାମର ଆଦିବାସୀ ସାହିର ଜଣେ ମହିଳାଙ୍କୁ ଅତର୍କିତ ଭାବରେ ଦୁଇଟି ହାତୀ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ତାଙ୍କୁ ଭୁବନେଶ୍ୱରର ଏମସ ହସପିଟାଲରେ ଭର୍ତି କରି ଚିକିତ୍ସା କରାଯାଉଥିବାର ଜଣା ପଡିଛି ।ସୂଚନାରୁ ପ୍ରକାଶ ଯେ କାଳଚୁଆ ପାଟଣାର ବେଲ ସାହୁ ଓରଫ ତୋଫାନଙ୍କ ପତ୍ନୀ ରଂଜନା ନାୟକ (୪୮) ବଡି ଭୋରରୁ ଉଠି କବାଟ ଖୋଲି କୌଣସି ଏକ କାର୍ଯ୍ୟରେ ବାଡି ପଟକୁ ଯାଇଥିବା ବେଳେ ଅତର୍କିତ ଭାବରେ ବଣୁଆ ହାତୀ ଆକ୍ରମଣ କରି ତାଙ୍କର ଡାହାଣ ପଟ କାନମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେଠାରେ ସଂଜ୍ଞାହୀନ ଅବସ୍ଥାରେ ପଡି ରହିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ପ୍ରାଥମିକ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଏମସ ହସପିଟାଳକୁ ସ୍ଥାନାନ୍ତର କରାଯାଇଥିଲା । ଗତ କିଛି ମାସ ତଳେ ବଣୁଆ ହାତୀ ଆକ୍ରମଣରେ ହଜ ଓ କଲରାଝର ଗ୍ରାମର ଦୁଇଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଯାଇଛି । ଅପରପକ୍ଷରେ କଲରାଝର ଗ୍ରାମର ଜଣେ ବୃଦ୍ଧ ଓ ନାରଗୋଦା ଗ୍ରାମର ଜଣେ ବୃଦ୍ଧା ଗୁରୁତର ଆହତ ହୋଇ ଏବେବି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏହାକୁ ନେଇ ରଣପୁର-ଜଙ୍କିଆ ଜଗନ୍ନାଥ ସଡକରେ ହଜ ଠାରେ ଟାୟାର ଜାଳି କ୍ଷତିପୂରଣ ପାଇଁ ରାସ୍ତାକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକରୁ ହଟିଥିଲେ । ଖୋର୍ଦ୍ଧା ବନ ବିଭାଗ ଅଧିକାରୀଙ୍କ ପକ୍ଷରୁ ଏଠାରେ ୨୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଆଜି ଯାଏଁ କୌଣସି କର୍ମଚାରୀ ନିଯୁକ୍ତ କରିବା ଦୂରର କଥା କିନ୍ତୁ ଲୋକମାନଙ୍କ ଧନଜୀବନ ସୁରକ୍ଷା ବ୍ୟବସ୍ଥାରେ ବିଫଳ ହୋଇଥିବାର ଜଣା ପଡିଛି । ଏହି ବଣୁଆ ହାତୀ ଗୁଡିକ ନାରଗୋଦା ଜଙ୍ଗଲରେ ରହି ସିକୋ,ହଜ,ଶଗଡଭଙ୍ଗା,ବୋତଳମା, ଗୋବିନ୍ଦପୁର,ଦେଉଳି,ଗଡମାଣିତୀର ଓ ହିରାପୁର ପଞ୍ଚାୟତ ଗୁଡିକରେ ବିଭିନ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ଆସି ବିଭିନ୍ନ ନାରକୀୟ କାଣ୍ଡ ଘଟାଇବା ସହ ଧନଜୀବନ କ୍ଷତି କରିଥାନ୍ତି ।ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ସୁରକ୍ଷା ଯୋଗାଇବା ସହ ଅଧିକ ବନ କର୍ମଚାରୀ ନିୟୋଜିତ କରାଗଲେ ଧନଜୀବନ ରକ୍ଷା ହୋଇ ପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା