Breaking News

ବହୁ ଆଡମ୍ବର, ଲଘୁ କ୍ରିୟା" - ନିଃଶ୍ବାସକୁ ବି ପ୍ରତାରଣା.ଅଚଳ ହୋଇପଡିଛି, ଭଂଜନଗର ମେଡିକାଲର ଅକ୍ସିଜେନ୍ ପ୍ଲାଣ୍ଟ ; ଇଏ ହେଉଛି ଡବଲ ଇଞ୍ଜିନି ସରକାର

"

ଭଞ୍ଜନଗର - ଅଚଳ ହୋଇପଡିଛି, ଅକ୍ସିଜେନ୍ ପ୍ଲାଣ୍ଟ । ଅଧାରେ ଅଟକି ଯାଇଛି । ପ୍ରତି ଓ୍ବାର୍ଡର ରୋଗୀଙ୍କ ଶଯ୍ୟା ନିକଟରେ ପାଇପ୍ ଲାଗିଛି, ହେଲେ ତାହା କାମରେ ଆସୁନି । “ବହୁ ଆଡମ୍ବର ଲଘୁ କ୍ରିୟା” ରେ ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ଡ଼ାକ୍ତରଖାନାରେ ପ୍ରତିଷ୍ଠା ହୋଇଥିବା “ଅକ୍ସିଜେନ ପ୍ଲାଣ୍ଟ” । ଗତ କୋଭିଡ୍ ସମୟରେ ଡାକ୍ତରଖାନାର ସାଧାରଣ ରୋଗୀଙ୍କ ଆବଶ୍ୟକତା ପୁରଣ ପାଇଁ ୬-୮-୨୦୨୧ ମସିହାରେ ପ୍ରତିଷ୍ଠା ହୋଇଥିଲା “ଅକ୍ସିଜେନ୍ ପ୍ଲାଣ୍ଟ” । ଲକ୍ଷ୍ଯଥିଲା ମହାମାରୀ ଭଳି କଠିନ ପରିସ୍ଥିତିରେ ଅଭାବ ଦେଖା ଦେଉଥିବା ଅକ୍ସିଜେନ୍ ର ମୁକାବିଲା କରିବା । ପରବର୍ତ୍ତୀ  ସମୟରେ ମଧ୍ୟ, ଏହା ବିଶେଷ ଭାବେ କାର୍ଯ୍ୟରେ ଆସିବ ‌। ଏଥିପାଇଁ ମେଡିକାଲର ପ୍ରତ୍ୟେକ ବିଭାଗର ଓ୍ବାର୍ଡକୁ ପାଇପ୍ ଯୋଗେ, ଅକ୍ସିଜେନ୍ ଯୋଗାଇବା ପାଇଁ ଚୁଡାନ୍ତ ହେଲା । ‌ଶେଷରେ ପରିସ୍ଥିତି ଏମିତି ହେଲା, ଆରମ୍ଭରୁ ହିଁ ଝୁଣ୍ଟିଲା ଅକ୍ସିଜେନ୍ ପ୍ଲାଣ୍ଟ । ସେହି ସମୟରେ କୋଭିଡ୍ ପରିସ୍ଥିତି ମୁକାବିଲା ପାଇଁ ତତ୍କାଳୀନ ରାଜ୍ୟ ସରକାର, ରାଜ୍ୟରେ ୪୦ ଟି ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ । ସେଥିମଧ୍ୟରୁ ଗଂଜାମ ଜିଲ୍ଲାର ୩ ଟି ସ୍ଥାନ ବ୍ରହ୍ମପୁର, ଛତ୍ରପୁର ଏବଂ ଭଂଜନଗର ମେଡିକାଲ୍ ରେ ପ୍ରତିଷ୍ଠା ହେବାପାଇଁ ସ୍ଥିର ହେଲା । ଏଥିପାଇଁ ଭଂଜନଗର ଉପଖଣ୍ଡ ଚିକିତ୍ସାଳୟରେ “ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ” (AIF) ଅର୍ଥ ଦାନରେ, ଅହମ୍ମଦାବାଦ ର “ଲାଭ୍ ଗୃପ” ପକ୍ଷରୁ ପ୍ଲାଣ୍ଟ ନିର୍ମାଣ  କାର୍ଯ୍ୟ ସମ୍ପାଦନ କରାଗଲା । ପ୍ରତ୍ୟେକ ରୋଗୀ-ଶଯ୍ୟା ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ୍ ଯୋଗାଇବା ବ୍ୟବସ୍ଥା କରାଗଲା । ଆରମ୍ଭ ହେଲା ପରୀକ୍ଷଣ । ପ୍ରଥମରୁ ହିଁ ଦେଖାଗଲା, ଯାନ୍ତ୍ରିକ ତ୍ରୁଟି । କାମ କଲାନାହିଁ “ରିଲେ ସେନ୍ସର୍” । ସଂପୃକ୍ତ କମ୍ପାନୀକୁ, ଅବଗତ କଲେ ମେଡିକାଲ କତୃପକ୍ଷ । ପ୍ରତିଷ୍ଠା ହେବାର ଦୁଇବର୍ଷ ପରେ ତାହା ସଜଡାଗଲା । କିଛିଦିନ ଅକ୍ସିଜେନ୍ ଯୋଗାଣ ହେଲା । ପୁଣି ପ୍ଲାଣ୍ଟର “ପ୍ରି-ଫିଲଟର୍” ଓ “କାର୍ବନ୍ ଫିଲଟର୍” ଭଳି ଯନ୍ତ୍ରାଂଶରେ ତ୍ରୃଟି ଦେଖାଗଲା । ପୁଣି ସଂପୃକ୍ତ ମେକାନିକ୍ ସଂସ୍ଥାକୁ ଯୋଗାଯୋଗ କଲେ, ମେଡିକାଲ କତୃପକ୍ଷ । ହେଲେ ମେସିନ୍ ସଜାଡିବାକୁ କମ୍ପାନୀର ମେକାନିକ୍ ଆସିବା ଦୂରର କଥା,  ଆଜି ପର୍ଯ୍ୟନ୍ତ ଧରାଛୁଆଁ ଦେଉନି, ସଂପୃକ୍ତ କମ୍ପାନୀ । ଏଥିପାଇଁ ମେଡିକାଲ ପକ୍ଷରୁ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରାଗଲା । ହେଲେ ଫଳ ଶୂନ । ଏହା ମଧ୍ୟରେ ସରକାର ବଦଳି ଗଲା । ଡବଲ ଇଞ୍ଜିନି ସରକାର ଆସିବାର ଏକ ବର୍ଷ ପୂ ର୍ତ୍ତି ପାଳନ କରାଯାଉଛି । ମାତ୍ର ଏ ଦିଗପ୍ରତି ବିଧାୟକ ନା ପ୍ରଶାସନ କେହି ନଜର ଦେଉନାହାନ୍ତି ବୋଲି ଜଣସାଧାରଣରେ ଆଲୋଚନା  ହେଉଛି । ଏବେ ପ୍ଲାଣ୍ଟ ମରାମତି ହୋଇପାରୁଛି, ନା ଅକ୍ସିଜେନ୍ ଉତ୍ପାଦନ ହୋଇ ପାରୁଛି । ୨୦୨୩ ଜୁଲାଇ ମାସରୁ ଏହି “ଅକ୍ସିଜେନ୍ ପ୍ଲାଣ୍ଟ” ସମ୍ପୂର୍ଣ ବନ୍ଦ ହୋଇଯାଇଛି । ଜିଲ୍ଲାର ଭଂଜନଗର ବ୍ଳକ୍ ସମେତ ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ସୋରଡା ବ୍ଳକ୍ ସମେତ ବୁଗୁଡ଼ା ବ୍ଳକର ଅଧିକାଂଶ ରୋଗୀ, ଭଂଜନଗର ଉପଖଣ୍ଡ ଡ଼ାକ୍ତରଖାନା ଉପରେ ନିର୍ଭର କରନ୍ତି । ଏହାସହ କନ୍ଧମାଳ ଓ ନୟାଗଡ ଜିଲ୍ଲାର ଅଧିକାଂଶ ରୋଗୀ ଏହି ଡାକ୍ତରଖାନା ଉପରେ  ନିର୍ଭର କରନ୍ତି । ଏଥିପାଇଁ ପୂର୍ବରୁ ବ୍ରହ୍ମପୁର - ହଳଦିଆପଦର ରୁ ସିଲିଣ୍ଡର ଯୋଗେ ଅକ୍ସିଜେନ୍ ଆସୁଥିଲା । ଲକ୍ଷଥିଲା ଏଠାରେ ଅକ୍ସିଜେନ୍ ପ୍ରସ୍ତୁତ ହୋଇଗଲେ, ୮୦ କିଲୋମିଟର ଦୂରରେ ଥିବା ବ୍ରହ୍ମପୁର – ହଳଦିଆପଦର ପ୍ଲାଣ୍ଟ ଉପରେ ଆଉ ନିର୍ଭର କରିବକୁ ପଡ଼ିବ ନାହଁ । ହେଲେ, ତାହା ସମ୍ଭବ ହେଲାନାହିଁ । ସବୁ ବ୍ୟବସ୍ଥା ସତ୍ତ୍ୱେ, ଏବେ ସିଲିଣ୍ଡର ଅକ୍ସିଜେନ୍ ହିଁ ଭରଷା ହୋଇଛି । ଏକ ସ୍ବେଛାସେବୀ ସଂସ୍ଥାର ଦାନ ରେ ଏହି ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେଲା । ଏଥିପାଇଁ ଆଉ ଗୋଟିଏ କମ୍ପାନୀ ତାର ପ୍ରାପ୍ୟ ପାଇ, ପ୍ଲାଣ୍ଟରେ ମେସିନ୍ ଖଞ୍ଜିବା ଏବଂ ଆନୁଷଙ୍ଗିକ ବୈଷୟିକ କାର୍ଯ୍ୟ ସମ୍ପାଦନ କଲା । ହେଲେ ଏହାର ତଦାରଖ ଏବଂ ପରିଚାଳନା ଦାୟିତ୍ବ ମେଡିକାଲ କତୃପକ୍ଷଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ ବିଭାଗ ଏବଂ ସରକାରଙ୍କ ହାତରେ ରହିଲା ।  ପ୍ଲାଣ୍ଟ ଅଚଳ ହେବାପରେ, ମେଡିକାଲ କତୃପକ୍ଷ ସଂପୃକ୍ତ କମ୍ପାନୀକୁ ବାରମ୍ବାର ଜଣାଇଲେ । ବିଭାଗୀୟ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ । ତଥାପି ଅବସ୍ଥାରେ ସୁଧାର ଆସିପାରିଲା ନାହିଁ । ଅଚଳାବସ୍ଥାର ଆଉ ଏକ ପ୍ରମୁଖ କାରଣ ହେଉଛି, ପ୍ଲାଣ୍ଟର ଯନ୍ତ୍ରାଂଶ ଓଡ଼ିଶାରେ ମିଳୁନି ଏବଂ ଏହାକୁ ସଜାଡିବାକୁ ସ୍ଥାନୀୟ ଅଞ୍ଚଳରେ ମେକାନିକ୍ ମଧ୍ୟ ନାହାଁନ୍ତି । ଏବେ “ହଳଦିଆପଦର”, “ସିଲିଣ୍ଡର” ଏବଂ “କନସେନଟ୍ରେଟର୍” ମାଧ୍ୟମରେ ହିଁ ଭଂଜନଗର ମେଡିକାଲର ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇବା ଏକମାତ୍ର ଭରଷା ହୋଇଛି  । ଯାହା ପୂର୍ବରୁ ହୋଇ ଆସୁଥିଲା, ତାହା ଏବେ ହିଁ ହେଉଛି । ଦିନକୁ ଦିନ ମେଡିକାଲରେ ରୋଗୀଙ୍କ ସଂଖ୍ୟା ବଢୁଛି । ରୋଗର ପ୍ରକାର ବଦଳୁଛି । ଆଗକୁ ପୁଣି କୋଭିଡ୍ ପରିସ୍ଥିତି କବାଟ ଠକ୍ ଠକ୍ କଲାଣି । ଏଭଳି ପରିସ୍ଥିତିରେ, “ଅକ୍ସିଜେନ୍ ପ୍ଲାଣ୍ଟ” ର ଆବଶ୍ୟକତା ଜରୁରୀ ହୋଇଛି । ଦେଖାଯାଉ ଡବଲ ଇଞ୍ଜିନି ସରକାର କ'ଣ ପଦକ୍ଷେପ ନେଉଛନ୍ତି ତାହା କେବଳ ସମୟ ହିଁ କହିବେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୩/୬/୨୦୨୫---୧୧,୨୫ Sakhigopal News,13/6/2025

Blog Archive

Popular Posts