ଉଦଘାଟନର ୨୪ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ବସଷ୍ଟାଣ୍ଡ ; ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ
ଜଟଣୀ :--ଉଦଘାଟନ ୨୪ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଜଟଣୀ ବସଷ୍ଟାଣ୍ଡ l ସରକାରଙ୍କ କୋଟି କୋଟି ଟଙ୍କାର ଅନୁଦାନରେ ନିର୍ମିତ ହୋଇଥିବା ବସ ଷ୍ଟାଣ୍ଡ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି l ଦିନରାତି ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି l ସୂଚନା ମୁତାବକ ୧୬/୦୮/ ୧୯୯୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ମହାନ୍ତିଙ୍କ କର କମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା l ଏହାର ଦୀର୍ଘ ୪ ବର୍ଷ ପରେ ୪/୦୧/୨୦୦୦ ମସିହାରେ ନଗର ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ସିଙ୍ଘ, ମୁଖ୍ୟ ଅତିଥି ପୂର୍ବତନ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଏବଂ ସମ୍ମାନିତ ଅତିଥି ପୂର୍ବତନ ଜଟଣୀ ପୌରପରିଷଦର ନଗରପାଳ ଡ଼ଃ ଗୌରୀ ପ୍ରସାଦ ସିଂ ଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଥିଲାl ଦୁଃଖର ବିଷୟ ଉଦ୍ଘାଟନର ଦୀର୍ଘ ୨୪ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିଲାନି ବସ ଷ୍ଟାଣ୍ଡ l ବର୍ତ୍ତମାନ ସହରର ଅସାମାଜିକ ଯୁବ ଗୋଷ୍ଠୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏହି ସ୍ଥାନଟି l ସବୁ ଜାଣିଶୁଣି ସ୍ଥାନୀୟ ପ୍ରଶାସନ ଚୁପ l ଉଦ୍ଘାଟନର ୨୪ ବର୍ଷ ମଧ୍ୟରେ ଜଟଣୀ ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଥିଲେ ମଧ୍ୟ କୌଣସି ରାଜନେତା ବା ସହରରେ ନିଜକୁ ଆତ୍ମାଗାରିମା ଦେଖାଉଥିବା କୁଜି ନେତାମାନେ ସାଙ୍ଗକୁ ସୋସିଆଲ ମିଡିଆରେ ଫୋଟ ପୋଷ୍ଟ କରୁଥିବା ସମାଜସେବୀଙ୍କ ହୃଦୟରେ ଜଟଣୀର ଉନ୍ନତି କଥା ଚିନ୍ତା ନ କରି ନିଜ ନିଜର ସ୍ୱାର୍ଥ ପାଇଁ ନିଜକୁ ନେତା, ସ୍ବେଛାସେବୀ, ସମାଜସେବୀ ବୋଲାଉଛନ୍ତି l କୋଟି କୋଟି ଟଙ୍କାର ନିର୍ମିତ ହୋଇଥିବା ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ସହରରେ ଆଉ ଏକ ନୂତନ ବସ ଷ୍ଟାଣ୍ଡ ସାଙ୍ଗକୁ ଏକ ଟ୍ରକ ଟର୍ମୀନାଲ ହେବ ବୋଲି ଚଳିତ ବର୍ଷ ସ୍ୱାୟତ୍ତଶାସନ ଦିବସରେ ସ୍ଥନୀୟ ପୌରପ୍ରଶାସନ ଘୋଷଣା କରିବା କେତେଦୂର ଯର୍ଥାତ ତାହା ସାଧାରଣରେ ପ୍ରଶ୍ନ ଉଠୁଛି l ପ୍ରତ୍ୟକ୍ଷରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନକୁ ଆତ୍ମସାତ କରିବା ସ୍ଥାନୀୟ ପ୍ରଶାସନର ଏକ ସୁକଳ୍ପିତ ଷଡ଼ଯନ୍ତ୍ର ବୋଲି ସାଧାରଣରେ ଅଭିଯୋଗ ହେଉଛି l ସହରରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନ ଥିବାରୁ ବିଭିନ୍ନ ଛକ ଜାଗା ମାନଙ୍କରେ ଦୌଡ଼ି ଦୌଡ଼ି ବସ ଧରିବା ଦୃଶ୍ୟ ଦେଖିବାକୁ ମିଳେ l ନିର୍ମିତ ବସଷ୍ଟାଣ୍ଡର କିଛି କୋଠରୀକୁ ସ୍ଥାନୀୟ ମିଷ୍ଟାନ୍ନ ଦୋକାନ ମାଡି ବସି ନିଜ ଅକ୍ତିଆରରେ ରଖିଥିବା ଦେଖୁବାକୁ ମିଳିଛି l ବସଷ୍ଟାଣ୍ଡ ପ୍ରତୀକ୍ଷାଳୟରେ ଥିବା ଦୁଇଟି ଶୌଚାଳୟକୁ କିଛି ପୌର ଅସ୍ଥାୟୀ କର୍ମଚାରୀ ଅକ୍ତିଆର କରି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ଏବଂ ସମ୍ପୂର୍ଣ ବସଷ୍ଟାଣ୍ଡ ପରିଷରକୁ ଅସାମାଜିକ ଯୁବକଙ୍କ ଅକ୍ତିଆରରେ l ସ୍ଥାନୀୟ ପୌରପ୍ରଶାସନ କେବଳ ବିଭିନ୍ନ ଉନ୍ନୟନ ମୂଳକ କାମ ନାମରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନକୁ ହାତେଇ ଠିକାଦାର ଓ କର୍ମୀଙ୍କୁ ପୋଷୁଥିବାର ଅଭିଯୋଗ ହୋଇଛି l ଯାତ୍ରୀଙ୍କ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ବା ନିର୍ବାଚିତ ଲୋକପ୍ରତିନିଧି କିଏ ଧ୍ୟାନ ଦେବ ସେ ନେଇ ପ୍ରତିଟି ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତେଣୁ ନବ ନିର୍ବାଚିତ ଡବଲ ଇଂଜିନ ମୋହନ ସରକାର ତୁରନ୍ତ ଏହି ସମସ୍ୟା ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୧୧/ ୨୦୨୪---୮,୪୫ Sakhigopal News,8/11/2024