ଡିଏଭି ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଭଞ୍ଜନଗର--ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବାଘଲିଙ୍ଗି ଉଚ୍ଚ ବିଦ୍ୟାଳୟର ପି.ଇଟି ଶିକ୍ଷକ ତଥା ଜିଲ୍ଲା ସ୍ତରୀୟ ହକି ରେଫେରି ଶ୍ରୀ କୈଳାସ ଶତପଥୀ ଯୋଗଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ମୁଖ୍ୟ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ବିଦ୍ୟାଳୟର ଚାରୋଟି ହାଉସର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ପବିତ୍ର କ୍ରୀଡାମଶାଲ୍ ଧରି ଭଞ୍ଜନଗରର ପ୍ରସିଦ୍ଧ ସୌରାଦେବୀ ମନ୍ଦିର ଠାରୁ ମାରଥନ୍ କରି ବିଦ୍ୟାଳୟରେ ପହଞ୍ଚିଥିଲେ ।ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ୟୁ. ଊମାଶଙ୍କର ରାଓଙ୍କ ନେତୃତ୍ବରେ କ୍ରୀଡାଜ୍ୟୋତି ପ୍ରଜ୍ବଳନ କରାଯାଇଥିଲା। ବିଦ୍ୟାଳୟରେ ସମବେତ କଣ୍ଠରେ ଡିଏଭି ସଙ୍ଗୀତ ଗାନ କରାଯାଇଥିଲା ।ମୁଖ୍ୟ ଅତିଥି ଶ୍ରୀ କୈଳାସ ଶତପଥୀ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ଶୃଙ୍ଖଳାର ଶପଥ ପାଠ କରାଇଥିଲେ। ଛାତ୍ରଛାତ୍ରୀ ଉତ୍ସାହର ସହ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହାର ଦ୍ବିତୀୟ ଦିବସରେ କବିସମ୍ରାଟ ମହାବିଦ୍ୟାଳୟର ପୂବତନ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଜିଲ୍ଲା ସ୍ତରୀୟ ଫୁଟବଲ୍ କ୍ରୀଡାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନକରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା । କ୍ରୀଡା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀ ନିରଞ୍ଜନ ଦୋରାଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଅବଧିରେ ଶାନ୍ତି ପାଠ କରାଯାଇ କ୍ରୀଡା ପତାକାକୁ ଅବତରଣ କରାଯାଇଥିଲା।ଏହି ଦୁଇଦିନିଆ କ୍ରୀଡା ସମାରୋହରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୧/୨୦୨୪----୭,୩୫ Sakhigopal News,22/11/2024