Breaking News

ଜଙ୍ଗଲ ଭିତରେ କାଠ କାଟୁଥିବା ବେଳେ ଚଢ଼ାଉ, ୬ ଗିରଫ




ଭଞ୍ଜନଗର- - ଦିନକୁ ଦିନ ଗାଲେରୀ ବନାଞ୍ଚଳରେ ସକ୍ରିୟ ହେଉଛନ୍ତି, କାଠ ମାଫିଆ । ସ୍ଥାନୀୟ ବନବିଭାଗର କୋହଳ ମନୋଭାବ ଯୋଗୁଁ, ଜଙ୍ଗଲରୁ ଅବାଧରେ ଗଛକଟା ବୃଦ୍ଧି ପାଉଛି । କେତେବେଳେ କାଠ ମାଫିଆଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଉଛି ତ' , ଆଉ କେତେକ ବେଳେ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ହେଉଛି ।  ପରିଣାମ ସ୍ବରୂପ, ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ବନାଞ୍ଚଳ ଏବେ ମାଫିଆଙ୍କ କବଜାରେ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି, ଗାଲେରୀ ସଂରକ୍ଷିତ ଜଙ୍ଗଲରେ । ବୁଧବାର ଦିନ ଜଙ୍ଗଲ ଭିତରେ ମୂଲ୍ୟବାନ ଶାଳ ଗଛ କାଟି, ସେଥିରୁ ସାଇଜ୍ କାଠ କାଟିବା ଘଟଣା ଏବେ ନଜରକୁ ଆସିଛି। ଅବଶ୍ୟ ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଖବର ପାଇ ବନ କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ସଂରକ୍ଷିତ ଜଙ୍ଗଲ ଭାଗ-୨୨ ରୁ, ୬ ଜଣ କାଠ ମାଫିଆଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ଠାରୁ ଦୁଇଟି କରତ ଏବଂ କୁରାଢି ଜବତ ହୋଇଛି । ଏବଂ ଘଟଣା ସ୍ଥଳରୁ ୮ ସିଏଫଟି ରୁ ଅଧିକ ସାଇଜ୍ କାଠ ଜବତ ହୋଇଛି । ୩୪୨/୨୪-୨୪ ରେ ଏକ ମାମଲା ରୁଜୁ କରି, ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ସଂକ୍ରାନ୍ତରେ ଗାଲେରୀ ବନାଞ୍ଚଳ ଅଧିକାରୀଙ୍କୁ  ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ, ଫୋନ୍ ରିସିଭ୍ କରିନଥିଲେ । କିମ୍ବା କୌଣସି ପ୍ରତିକ୍ରିୟା ଦେବାକୁ ଚାହିଁନଥିଲେ । ପରବର୍ତ୍ତୀ ସମୟରେ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଙ୍କ ନିର୍ଦ୍ଦେଶ ପ୍ରକାରେ ସହକାରୀ ବନ ସଂରକ୍ଷକ ଏସଂକ୍ରାନ୍ତରେ ସୂଚନା ଦେଇଥିଲେ । ତେବେ, ଜଙ୍ଗଲ ସୁରକ୍ଷା ନେଇ ବାରମ୍ବାର ସଭାସମିତି ଏବଂ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ, ଦିନକୁ ଦିନ ଏହି ବନାଞ୍ଚଳରେ କାଠ ଚୋରି ହେବା ଏବଂ ମାଫିଆ ମାନେ ସକ୍ରିୟ ହେବା ନେଇ ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ଲୋକଙ୍କ ସନ୍ଦେହ ବଢ଼ିବାରେ ଲାଗିଛି । କେବଳ ସେତିକି ନୁହେଁ, ଗିରଫ ଅଭିଯୁକ୍ତ ମାନେ କ୍ରମାଗତ ଭାବେ, ଗାଲେରୀ ବନାଞ୍ଚଳରୁ କାଠ ଚୋରି କରି ଆସୁଛନ୍ତି । ତେବେ ପ୍ରଶ୍ନ ହେଉଛି, ବିଭାଗୀୟ ଏତେ ସତର୍କତା ସତ୍ବେ, ସଂପୃକ୍ତ ଅଭିଯୁକ୍ତ ମାନେ ସଂରକ୍ଷିତ ଜଙ୍ଗଲରେ ପଶି ଶାଳ ଗଣ୍ଡିରୁ, ସାଇଜ୍ କାଠ କାଟୁଥିଲେ କେମିତି । ଏହା ପୂର୍ବରୁ ମାଫିଆ ମାନେ, ଶାଳଗଛ କାଟିବା ସମୟରେ ବିଭାଗ ଜାଣିପାରିଲା ନାହିଁ କେମିତି । ଏଣୁ ଏହି ବନାଞ୍ଚଳର କାର୍ଯ୍ୟ ଦକ୍ଷତାକୁ, ବିଭାଗୀୟ ଉଚ୍ଚାଧିକାରୀ ଅନୁଧ୍ୟାନ କରିବା ଏବେ ଜରୁରୀ ହୋଇଛି । ତା' ନହେଲେ ଆସନ୍ତା ଦିନରେ ଗାଲେରୀ ବନାଞ୍ଚଳରୁ ମୂଲ୍ୟବାନ କାଠ ଉଭାନ୍ ହୋଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୧/୨୦୨୪----୯,୧୦ Sakhigopal News,13/11/2024

Blog Archive

Popular Posts