ଘର ଉପରକୁ ମାଡ଼ିଗଲା ଟ୍ରକ୍, ଡ୍ରାଇଭର ମୃତ - ଭଙ୍ଗା ଘରଭିତରୁ ଉଧାର ହେଲେ ଘର ମାଲିକ
ଭଞ୍ଜନଗର – ଘର ଭିତରକୁ ମାଡ଼ିଗଲା, ମାଲ୍ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଟ୍ରକ୍ ଚାଳକର ମୃତ୍ୟୁ ହୋଇଥିବା ବେଳେ, ଭଙ୍ଗା ଛାତଘର ଭିତରୁ ଘରମାଲିକ କୁ ସୁରକ୍ଷିତ ଭାବେ ଉଧାର କରିଛି, ଅଗ୍ନିଶମ ବାହିନୀ । ସେହିଭଳି ଟ୍ରକ୍ ଭିତରୁ ହେଲପର୍ କୁ ମଧ୍ୟ ଉଧାର କରାଯାଇଛି । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ, କଇଁଣ୍ଡି ଗାଁ ନିକଟରେ ଆଜି ଭୋର୍ ସମୟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ସୂଚନା ପ୍ରକାରେ ମାଲ୍ ବୋଝେଇ ଟ୍ରକ ଟି ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଆସୁଥିଲା । କଇଁଣ୍ଡି ନିକଟରେ ଭାରସାମ୍ୟ ହରାଇ, ଟ୍ରକ୍ ଟି ପ୍ରଥମେ ରାସ୍ତା କଡ଼ରେ ଥିବା ଏକ ଛାତଘର ଉପରକୁ ମାଡିଯାଇ, ଓଲଟି ପଡିଥିଲା । ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି, ଟ୍ରକ୍ ଭିତରୁ ହେଲପର୍ କୁ ଉଧାର କରିଥିଲେ । ସେପଟେ ଛାତଘର ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ, ଘର ଭିତରୁ ଚିତ୍କାର ଶୁଣି ଘରର ମାଲିକଙ୍କୁ ସୁରକ୍ଷିତ ଭାବେ ଉଧାର କରିଥିଲେ ଅଗ୍ନିଶମ ବାହିନୀ । ଘଟଣା ସମୟରେ ସଂପୃକ୍ତ ଘରେ, ଘରମାଲିକ ଏକୁଟିଆ ହିଁ ରହିଥିଲେ । ଉଭୟ ଘରମାଲିକ ଏବଂ ହେଲପର୍ ଙ୍କୁ ନିକଟସ୍ଥ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଟ୍ରକ୍ ର ହେଲପର୍ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୧/୯/୨୦୨୫---୭,୪୫ Sakhigopal News,21/9/2025