ଅଳଗୁମ ଜାଗୁଳେଇ ଯାତ୍ରା ଉଦଯାପିତ,ଦାନ୍ତକାଠିଆରେ ମା’ଙ୍କ ଚକ୍ଷୁରେ ଲାଗିଲା ବିରିଯାବ
ସାକ୍ଷୀଗୋପାଳ ---: ସତ୍ୟବାଦୀ ବ୍ଲକ୍ ଅଳଗୁମ ଗ୍ରାମର ମା’ ଜାଗୁଳେଇଙ୍କ ଯାତ୍ରା ଆଜି ଉଦଯାପିତ ହୋଇଛି। ଆଜି ଥିଲା ମା’ଙ୍କ ଦାନ୍ତକାଠିଆ ଉତ୍ସବ। ଗତକାଲି କାଠିଯାତ୍ରା ପରେ ମା’ଙ୍କୁ ବଉଳସାହିସ୍ଥିତ ସୁରାଲାଗି ବରଗଛମୂଳେ ରଖାଯାଇଥିଲା। ସେହିଠାରେ ହିଁ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ବିଳମ୍ବିତ ରାତିରେ ନିଶାକିଳା ନୀତି, ସୁରାଲାଗି, ବୋଦା ଓ ଗଞ୍ଜା ବଳି ଦିଆଯାଇଥିଲା। ଯାହାକି ସକାଳ ପର୍ଯ୍ୟନ୍ତ ଚାଲିଥିଲା। ମଙ୍ଗଳବାର ପୂର୍ବ।ହ୍ଣରେ ପୁଣି ଚୁଆ, ହଳଦୀ ଆଦି ସୁବାସିତ ଜଳରେ ମାଜଣା କରାଯାଇ ବିଭିନ୍ନ ବେଶ କରାଯାଇ ସର୍ବସାଧାରଣ ଦର୍ଶନ କରାଯାଇଥିଲା। ଅପରହ୍ଣରେ ମା’ଙ୍କୁ ଦାନ୍ତକାଠିଆ ପଡ଼ିଆକୁ ନିଆଯାଇ ସେଠାରେ ଘୁଷୁରି ବଳି ଦିଆଯାଇଥିଲା। ବଳି ପରେ ପୁଣି ସ୍ନାନ କରାଯାଇ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ବିରିଯାବରେ ମା’ଙ୍କ ଚକ୍ଷୁକୁ ବନ୍ଦ କରାଯାଇଥିଲା।
ସୂଚନାଯୋଗ୍ୟ, ଷଷ୍ଠୀ ଓଷାରେ ମା’ଙ୍କ ଆଖି ଫିଟିବା ପରେ ସପ୍ତମୀଠାରୁ ଅଳଗୁମ ବାରପଡ଼ାରେ ପାଳିକରି ଗାଁ ପରିକ୍ରମା ସହ ମା’ଙ୍କ ଭୋଗଖିଆ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟିକରପଡ଼ାରୁ ଭୋଗଖିଆ ଆରମ୍ଭ ହୋଇ ପରଦିନ ଖଣ୍ଡାୟତସାହି, ବଉଳସାହି, ଐଶାନ୍ୟପଡ଼ା, ବାଉଶଗଡ଼ିଆ, ବଢ଼େଇସାହି, ଜେନାସାହି, ପାଟଣାସାହି, ମାଳିସାହି ଓ ଭାଦ୍ରବ ଶୁକ୍ଳ ପୂର୍ଣ୍ଣମୀ ଶେଷ ଦିବସରେ ବାଟୁଳିପଡ଼ାରେ ମା’ ଭୋଗଖାଇ ଫେରିବା ପରେ ତା’ ପରଦିନ କାଠିଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ପୂର୍ଣ୍ଣମୀ ବଦଳରେ ଚତୁର୍ଦ୍ଦଶୀରେ ବାଟୁଳିପଡ଼ାରେ ମା’ ଭୋଗ ଖାଇଥିଲେ। ସେହିପରି ରବିବାର ଚନ୍ଦ୍ରଗ୍ରହଣ ହେତୁ ସୋମବାର କାଠିଯାତ୍ରା ଅନୁଷ୍ଠିତ ହୋଥିଲା। ଏଥିପାଇଁ ଷଷ୍ଠୀ ଓଷାଠାରୁ ଅଳଗୁମରେ ଉତ୍ସବର ମାହୋଲ ଲାଗିରହିଛି। ପ୍ରତ୍ୟେକ ପରିବାରରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖିବାକୁ ମିଳିଛି। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମୀନା ବଜାର, ଦୋଳି ଲାଗିଛି। ବିଭିନ୍ନ ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଛି।
ମା’ଙ୍କ ଏହି ସମସ୍ତ ନୀତିକାନ୍ତି ଶେଷ ପରେ ଆଜି ଗମ୍ଭୀରାକୁ ନିଆଯାଇଥିଲା। ଗମ୍ଭୀରାକୁ ଗଲା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଖଣ୍ଡାୟତସାହିର ଯୁବ କଳାକାରଙ୍କ ଦ୍ବାରା ସାମାଜିକ ନାଟକ ‘ହା କୃଷ୍ଣ ବୋଲି ଯାଉ ଯିବ’ ମଞ୍ଚସ୍ଥ ହେବାକୁ ଥିବାବେଳେ ଆସନ୍ତା କାଲି ବାଟୁଳିପଡ଼ା ଗ୍ରାମର ଯୁବ କଳାକାରଗଣ ‘ସୁଖ କିଣା, ଏଠି ଦୁଖ ମାଗଣା’ ମଞ୍ଚସ୍ଥ କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୯/୨୦୨୫ ---୮,୪୫ Sakhigopal News,9/9/2025