Breaking News

ପିଠିରେ କଣ୍ଟା ଫୁଟାଇ ଦଣ୍ଡରେ ଝୁଲିଲେ ପାଟୁଆ ; ହରିବୋଲ, ହୁଳହୁଳିରେ କମ୍ପିଲା ପଡିଆ

 


ସାକ୍ଷୀଗୋପାଳ --- ସତ୍ୟବାଦୀ ଅଞ୍ଚଳର ଭିଁପୁର ଓ ଦାସବିଦ୍ୟାଧରପୁର ଗ୍ରମାରେ ଖାଇଫୋଡ ଯାତ୍ରା  ଅନୁଷ୍ଠିତ ହୋଇଯାଇଛି । ପବିତ୍ର ମହାବିଷ୍ଠୁବ ସଂକ୍ରାନ୍ତି ଅବସରରେ ଭିଁପୁର ଗ୍ରାମର ମା ଗଡଚଣ୍ଡୀଙ୍କ ମନ୍ଦିର ଏବଂ ଦାସବିଦ୍ୟାଧରପୁର ବଡପୋଖରୀ ଠାରେ ଖାଇଫୋଡ ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ।  ଠାକୁରାଣୀଙ୍କ ସମସ୍ତ ଦେବନୀତି ସରିବା ପରେ କାଳେସି ବିଜେ ହୋଇଥିଲେ । ମାନସିକ ଧାରୀ ମାନେ ପୋଖରୀରେ ଗାଧୁଆ ପାଧୁଆ କରିବା ପରେ ଛଅ ରୁ ଦଶ ଇଞ୍ଚ ଲମ୍ବର ଦୁଇରୁ ଚାରେଟି ଲେଖାଏଁ ଲୁହାବାଙ୍କି କଣ୍ଟା ପିଠିରେ ଫୁଟାଇ ମାନସିକ ଧାରି ପାଟୁଆ ମାନେ କୋଡିଏ ହାତ ଉଚ୍ଚ ଖାଇରୁ ତଳକୁ ଝୁଲିବା ଏବଂ ଠାକୁରଙ୍କ ଜୟ ଜୟ କାର ଓ ହରିବୋଲ, ହୁଳହୁଳି ଧ୍ୱନି ଦେଇ ଘେରାକୁ ଘେରା ଚକ୍ର କାଟି ଖାଇ ଚାରିପଟ ବୁଲିବା ଏକ ନିଆରା କଷ୍ଟକର ସାଧନା ଦେଖିବାକୁ ମିଳିଥିଲା । ଚୈତ୍ରମାସ ସାରା ପବିତ୍ରତାର ସହିତ ଏହି ପାଟୁଆ ମାନେ ହବିଷ୍ୟାନ୍ନରେ ରହିଥିଲେ । ପ୍ରତି ମଙ୍ଗଳବାର ଦିନ ମାଙ୍କୁ ପୂଜା କରୁଥିଲେ । ମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ମା’ ଗଡଚଣ୍ଡୀ , ବସନ୍ତେଇ, ଜାଗୁଳାଇ, ମଙ୍ଗଳା ଓ ବାଟମଙ୍ଗଳାଙ୍କର ପାଞ୍ଚଜଣ କାଳେସି ବିଜେ ହୋଇ ନିକଟବର୍ତ୍ତୀ ନଳିତା ପୋଖରୀକୁ ଯାଇଥିଲେ । ପୋଖରୀ ଚର୍ତୁପାର୍ଶ୍ୱରେ ସମବେତ ଭକ୍ତ ମାନଙ୍କ ଗହଣରେ  ଜଣଙ୍କ ପରେ ଜଣେ ପାଟୁଆ ମାନଙ୍କ ପୀଠିରେ କାଳେସି ମାନେ କଣ୍ଟା ଫୁଟାଇଥିଲେ । ଏତେ ବଡ ବଡ କଣ୍ଟା ଫୁଟା ଯାଇଥିଲେ ମଧ୍ୟ କ୍ଷତ ସ୍ଥାନରୁ ରକ୍ତସ୍ରାବ ହୋଇନଥିଲା । କଣ୍ଟାର ଗୋଟିଏ ମୁଣ୍ଡରେ ଲଗା ଯାଇଥିବା ରଶିରେ ପାଟୁଆ ମାନେ ବନ୍ଦାହୋଇ ଖାଇଦଣ୍ଡରୁ  ତଳକୁ ଝୁଲିଥିଲେ । ଖାଇରେ ବୁଲିବା ସମୟରେ ପାଟୁଆ ମାନେ ଖଜୁରୀ କୋଳି, ଆମ୍ବ ଫୁଲ ଆଦି ଠାକୁରଙ୍କ ଉଦ୍ଦେଶ୍ୟରେ ପକାଇଥିଲେ । ଛୋଟ ଛୋଟ ଶିଶୁ ମାନଙ୍କୁ ଖାଇରେ ଧରି ପାଟୁଆ ମାନେ ବୁଲୁଥିବା ଦେଖାଯାଇଥିଲା । ଅସାଧ୍ୟ ରୋଗ ପୀଡାରୁ ଉପଶମ ଲଭିବା ଏବଂ ନିସନ୍ତାନ ମାନେ ସନ୍ତାନ ସନ୍ତତି ଆଶାରେ ଏଭଳି କଷ୍ଟକର ତପ ସାଧନା କରିଥାନ୍ତି ବୋଲି ଜଣାପଡିଥାଏ । ସେହିପରି ଦାସବ୍ୟଦଧରପୁର ବଡପୋଖରୀ ଠାରେ  ଖାଇଫୋଡ ଯାତ୍ରା  ÷ଅନୁଷ୍ଠିତ  ହୋଇଯାଇଛି । ଶହଶହ ବର୍ଷ ଧରି ଏହି ପରମ୍ପରା ଦୁଇଟି ସ୍ଥାନରେ ପ୍ରଚଳିତ ହୋଇ ଆସୁଛି । ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ମାନେ ମାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ଆର୍ଶିବାଦ ଭିକ୍ଷା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୪/୪/୨୦୨୫---୭,୪୫   Sakhigopal News, 14/4/2025

Blog Archive

Popular Posts