ସତ୍ୟବାଦୀ ରେ ଦଶହରାରେ ନିଆରା ପରମ୍ପରା ରହିଛି; ଭାର୍ଗବୀନଦୀରେ ଚାପ ଖେଳିଲେ ଠାକୁର ଠାକୁରାଣୀ
ସାକ୍ଷୀଗୋପାଳ ---ଦୂର୍ଗାପୂଜା ଅବସରରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ଯବାଦୀ ଥାନା ଅନ୍ତର୍ଗତ ବଳପୁର ସ୍ଥିତ ବାଲୁଙ୍କେଶ୍ୱର ମହାଦେବଙ୍କ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। ମୂଳାଷ୍ଟମୀ ଦିନ ଠାକୁରଙ୍କ ସେବକ ନିକଟସ୍ଥ ପଥୁରିଆ ସାହିରେ ଥିବା ପାନେଶ୍ୱରୀ , କୁସୁମେଶ୍ୱରର ଉଗ୍ରତାରା, ଓ ଆନନ୍ଦପୁର ତାରେଣି, ପଣ୍ଡା ସାହିର ତାରେଣି, ଦିହୁଡିସାହିର ଷଷ୍ଠିଦେବୀ ଠାକୁରାଣୀ ଙ୍କୁ ନିମନ୍ତ୍ରଣ ଦେଇ ଆସିଥାନ୍ତି । ବାଲୁଙ୍କେଶ୍ୱର ମହାଦେବଙ୍କ ବାହାର ଘରେ ଠାକୁରାଣୀ ମାନେ ଅବସ୍ଥାନ କରିବାପରେ ଷୋହଳ ଦିନ ଧରି ଷୋଡ଼ଶ ଉପଚାରରେ ପୂଜାଅର୍ଚ୍ଚନା କରାଯାଇ ଥାଏ । ଦଶହରା ଦିନ ଠାକୁରାଣୀ ମାନେ ବାଲୁଙ୍କେଶ୍ୱର ମହାଦେବଙ୍କ ସହିତ ଏକତ୍ରୀତ ହୋଇ ବିମାନରେ ବିଜେ କରିବା ପରେ ଭଣ୍ଟ, କାହାଳୀ , ପଖାଉଜ ଓ ବାଜା ବାଜି, ଛତି, ତ୍ରାସ ଏବଂ ମଶାଲ ସହିତ ସଲଟନରେ ଭାର୍ଗବୀନଦୀର ତୁଠକୁ ବିଜେ କରିଥାନ୍ତି । ନଦୀ ତୁଠରେ ଦୁଇଟି ଡଙ୍ଗା ସଜ୍ଜିତ ହୋଇ ରହିଥାଏ । ସେହି ଡଙ୍ଗା ଉପରେ ଠାକୁରଙ୍କ ବିମାନ ରହିଥାଏ। ନାଉରୀଆ ଉତ୍ତର ଦିଗକୁ ଏକ କୋଶ ଓ ଦକ୍ଷିଣ ଦିଗକୁ ଏକ କୋଶ ପର୍ଯ୍ୟନ୍ତ ଚାପ ଖେଳିଥାନ୍ତି । ନଦୀର ଉଭୟ ପାର୍ଶ୍ୱରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ୱନି ଦେଇଥାନ୍ତି। ମହିଳା ମାନେ ମରୁଜ ପକେଇ ଦୀପ ପ୍ରଜ୍ଜଳନ ସହିତ ଧୂପ ଅର୍ପଣ କରିଥିଲେ । ଆନନ୍ଦ ପୁର ନଦୀ ତୁଠରେ ହାଣ୍ଡୋଳଇ ଠାକୁରାଣୀଙ୍କୁ ବିଦା କରିଥିଲେ । ସେହିପରି ପଥୁରିଆ ସାହି ନଦୀ ତୁଠରେ ପାନେଶ୍ୱରୀ ଠାକୁରାଣୀଙ୍କୁ ବିଦାକରି ବାଲୁଙ୍କେଶ୍ୱର ମହାଦେବ ଫେରି ମନ୍ଦରକୁ ବିଜେ କରିଥିଲେ । ଠାକୁରଙ୍କ ବରଷକେ ଥରେ ହେଉଥିବା ଏହି ଚାପ ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୦/୨୦୨୫----୯,୧୦ Sakhigopal News,3/10/2025