ଜଟଣୀରେ ପୂଜାର ମାହୋଲ୍ ; ବୁଢା ଗଣେଶଙ୍କ ଏକାଦଶୀରେ ଶିରଣି ଭୋଗ
ଜଟଣୀ:-- ଗଣେଶ ପୂଜା ଲାଗି ବ୍ୟବସାୟିକ ସହର ଜଟଣୀ ସରଗରମ ରହିଛି।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଠାକୁ ଗଣେଶ ପୂଜା ଦେଖିବା ଲାଗି ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଉଛି।ବିଭିନ୍ନ ଯାତ୍ରାପାର୍ଟି ସାଙ୍ଗକୁ ମୀନାବଜାର ଆଦିରେ ଲୋକମାନଙ୍କର ଭିଡ଼ ଜମୁଛି। ଏହି ପରିପ୍ରେକ୍ଷୀରେ ଜଟଣୀ ମହୁଲଗୁଡିଆ ଛକ ବ୍ୟବସାୟୀ ସଂଘ ପୂଜା ମଣ୍ଡପ ପକ୍ଷରୁ ଚଳିତବର୍ଷ ଧୁମଧାମରେ ଗଜାନନଙ୍କ ପୂଜା ଆୟୋଜନ କରାଯାଇଛି। ଏଠାରେ ପୂଜା ପାଉଥିବା ପ୍ରଭୁ ଗଜାନନଙ୍କୁ ବୁଢ଼ା ଗଣେଶ ନାମରେ ଜଣା ଯାଇଥାଏ। ଏହି ପୂଜା ପେଣ୍ଡାଲ ଦେଶ ସ୍ଵାଧୀନତା ପୂର୍ବରୁ ନିଜରସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜଟଣୀବ୍ଳକ ମହୁଲଗ୍ରାମର ଜଣେ ଗୁଡିଆ ସମ୍ପ୍ରଦାୟର ବ୍ୟକ୍ତି ପ୍ରଥମେ ଏହି ଛକରେ ଗଣେଶପୂଜା ଆରମ୍ଭ କରିଥିଲେ।ତେଣୁ ସେହି ନାମନୁସାରେ ଏହି ଛକକୁ ମହୁଲଗୁଡ଼ିଆ ଛକ ବୋଲି ଆଖ୍ୟା ଦିଆଯାଇଛି । ତେବେ ଏଠାରେ ପୂଜା ପାଉଥିବା ଅଗ୍ରପୂଜ୍ୟ ପ୍ରଭୁ ଗଣେଶ ‘ବୁଢ଼ାଗଣେଶ’ ନାମରେ ପରିଚିତ। ଜଟଣୀ ସହରରେ ସର୍ବପ୍ରଥମେ ପୂଜା ପାଇ ଆସୁଥିବାରୁ ବୁଢ଼ା ଗଣେଶବୋଲି କୁହାଯାଉଛି । ଏଠାରେ ଠାକୁରଙ୍କ ନିକଟରେ ପ୍ରତିଦିନ ଶୁଖୁଲି ଭୋଗ ଲାଗି ହେଉଥିବା ବେଳେ ମଧ୍ୟାହ୍ନରେ ଅନ୍ନଭୋଗ ହେବାର ପ୍ରଥା ରହିଛି।ଏଠାରେ ପ୍ରତିଦିନ ମାନସିକଧାରୀଙ୍କ ଭୋଗଲଗାଇବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଥାଏ।ମହୁଲଗୁଡ଼ିଆ ବ୍ୟବସାୟୀ ସଂଘ ପୂଜା କମିଟିର ସଭାପତି ଜିତେନ୍ଦ୍ର ପଟ୍ଟନାୟକ ଓ ସମ୍ପାଦକ ଗିରିଜାଭୂଷଣ ଜେନାଙ୍କ ସୂଚନାନୁସାରେ, ଗଣେଶ ଚତୁର୍ଥୀଠାରୁ ପୂର୍ଣ୍ଣିମା ମଧ୍ୟରେ ଗୋଟିଏ ଦିନ ଏକାଦଶୀ ପଡ଼ିଥାଏ । ସେହି ଏକାଦଶୀ ତିଥିରେ ବାବା ସିଦ୍ଧବିନାୟକଙ୍କ ନିକଟରେ ଶିରିଣି ଭୋଗଲାଗି ହେବାର ପ୍ରଥା ରହିଛି। ଏଥି ସହିତ ଠାକୁରଙ୍କ ରୋଷଘର ସ୍ଵତନ୍ତ୍ର ରହିଛି । ଏହି ରୋଷଘରେ ଵିଧି ଅନୁସାରେ ଅନ୍ନ ରୋଷେଇ ହୋଇଥାଏ। ଚତୁର୍ଥୀ ଦିନରେ ବୁଢ଼ା ଗଣେଶ ସର୍ବଶେଷରେ ପୂଜାପାଇଥାନ୍ତି। ଏହି ପୂଜା ସନ୍ଧ୍ୟା ରେ ହୋଇଥାଏ। ବିସର୍ଜନ ତିଥିରେ ବୁଢ଼ା ଗଣେଶ ପ୍ରଥମେ ଧରା ତ୍ୟାଗ କରିବା ପରେ ସହରର ସମସ୍ତ ଠାକୁର ଧରାତ୍ୟାଗ କରିବାର ଏକ ପରମ୍ପରା ମଧ୍ୟ ରହିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୯/୨୦୨୫---୭,୪୫ Sakhigopal News,1/9/2025