Breaking News

ଗାଁ ଲୋକଙ୍କ ଅଭିନବ ପ୍ରୟାସ, ଉଜୁଡା ଜଙ୍ଗଲ ସଜାଡିଲେ, ଠେଙ୍ଗା ପାଳିରେ".





ଭଂଜନଗର - ଦିନଥିଲା, ଘଞ୍ଚ ଜଙ୍ଗଲ ସମ୍ପୁର୍ଣ୍ଣ ଉଜୁଡି ଯାଇଥିଲା । କେବଳ ଦାନ୍ତକାଠି ଜଙ୍ଗଲ ଭାବେ ଦେଖା ଯାଉଥିଲା । ପରବର୍ତ୍ତୀ ସମୟରେ ବନବିଭାଗ ସହଯୋଗରେ ବନ ସଂରକ୍ଷଣ ସମିତି ଗଠନ କରି, ଉଜୁଡା ଜଙ୍ଗଲକୁ ସଜାଡ଼ିବା ଆରମ୍ଭ କଲେ । ଦୀର୍ଘବର୍ଷ ପରେ ଏବେ ତାହା ପୁଣି ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ଗାଁ ଲୋକେ । ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବାକୁ, ସମସ୍ତେ ପ୍ରୟାସ କରୁଛନ୍ତି । ସେଥିପାଇଁ ଗାଁ ଲୋକେ ପାଳି କରି ଜଙ୍ଗଲ ଜୁଗୁଛନ୍ତି । ହାତରେ ଠେଙ୍ଗା ଧରି ପ୍ରହରା ଦେଉଛନ୍ତି । ସେଥିପାଇଁ ତାଙ୍କର ଏହି ଦାୟିତ୍ବକୁ ନାମକରଣ କରିଛନ୍ତି, "ଠେଙ୍ଗା ପାଳି" । ଯାହାକୁ ନେଇ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଚର୍ଚ୍ଚାରେ ରହିଛନ୍ତି ଗାଁ ଲୋକେ । ଏ ହେଉଛି ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କଣ୍ଟେଇପଲ୍ଲୀ ଗାଁ ଲୋକଙ୍କ ନିଆରା ଉଦ୍ୟମ । ଗତ ପ୍ରାୟ ୨୦ବର୍ଷ ହେଲା ସାମୁହିକ ଭାବେ, ଏଭଳି କାର୍ଯ୍ୟ କରି ଆସୁଛନ୍ତି ଏହି ଗାଁ ଲୋକେ । ତାହା ପୁଣି ବିନା ପାରିଶ୍ରମିକରେ  । ଏବେ ସମସ୍ତଙ୍କ ଗୋଟିଏ ଚିନ୍ତା, ଗାଁ ଜଙ୍ଗଲ କିଭଳି ସୁରକ୍ଷିତ ରହିବ । ଜଙ୍ଗଲରେ କିଭଳି ନିଆଁ ନଲାଗିବ । ବ୍ରହ୍ମପୁର ରାସ୍ତାର କଣ୍ଟେଇପଲ୍ଲୀକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲଟି, ପ୍ରଥମେ କାଠ-ମାଫିଆ ଙ୍କ ଦ୍ଵାରା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପରେପରେ ୧୯୯୦ ମସିହା ପରଠାରୁ, ବନବିଭାଗ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଚାରା ରୋପଣ କରାଗଲା । ବନ ସୁରକ୍ଷା ସମିତିର ସଭାପତି ଶରତ କୁମାର ସ୍ବାଇଁଙ୍କ ନେତୃତ୍ୱରେ  କଣ୍ଟେଇପଲ୍ଲୀ ଗାଁ ଲୋକେ ଜଙ୍ଗଲର ସୁରକ୍ଷା ଦାୟିତ୍ବ, ନିଜ ହାତକୁ ନେଲେ। ବିଶେଷ କରି ଖରାଦିନେ, ଜଙ୍ଗଲ ନିଆଁ ପ୍ରତି ଯଥେଷ୍ଟ ଆଶଂକା ରହିଥାଏ । ତେଣୁ ଗାଁ ଲୋକେ ପ୍ରତିଦିନ ପାଳିକରି, ମହିଳା ପୁରୁଷ ଜଙ୍ଗଲ ଜଗି ଆସୁଛନ୍ତି । କଣ୍ଟେଇପଲ୍ଲୀ ଗ୍ରାମବାସୀଙ୍କ ଏଭଳି ପ୍ରୟାସକୁ ନେଇ, ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶଂସା କରୁଛନ୍ତି । ସେହିଭଳି ସଂପୃକ୍ତ  ଗ୍ରାମବାସୀଙ୍କ ଏଭଳି ଉତ୍ସର୍ଗୀକୃତ ମନୋଭାବ, ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ବୋଲି କହିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି  ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୨/୨୦୨୫---୭,୪୫ Sakhigopal News,13/2/2025

Blog Archive

Popular Posts