Breaking News

ଗଣ୍ଡାଧର ମହିଳା ସଂଘର ନିଆରା ପ୍ରୟାସ ,; "କତା କଣ୍ଢେଇ" - କାମ ଏକ, ରୂପ ଅନେକ




ଭଞ୍ଜନଗର- - ଯେ କୌଣସି ଲୋକ ଦେଖିଲେ କହିବେ,  ସତେ ଯେମିତି କଥା କହୁଛି “କତା କଣ୍ଢେଇ” । ନିଖୁଣ କଳା-କୈାଶଳରେ ତିଆରି ଏସବୁ ଭଳିକି ଭଳି କଣ୍ଢେଇ  । ଅତ୍ୟାଧୁନିକ ଶୈଳୀରେ ତିଆରି ଦାମୀ କଣ୍ଢେଇ ଠାରୁ, ଏହା ଅଧିକ ଆକର୍ଷଣୀୟ ଲାଗୁଛି । ଅଦରକାରୀ ଭାବି ଫୋପାଡି ଦିଆଯାଉଥିବା ଜିନିଷକୁ, ନୂଆ ରୂପ ଦେଇ ପାରୁଛନ୍ତି, ଜଗନ୍ନାଥପ୍ରସାଦ ବ୍ଳକ୍ ଅନ୍ତର୍ଗତ ଗଣ୍ଡାଧର ଗାଁର  ମା’ ବିରଜା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ । ଯାହାକି ଏମାନଙ୍କୁ ସ୍ବାବଲମ୍ବୀ ଏବଂ ରୋଜଗାରର ନୂଆ ବାଟ ଦେଖାଇଛି । ଭଲ ଦି’ପଇସା, ଲାଭ ବି’ କରିପାରୁଛନ୍ତି । ଗଲା ପ୍ରାୟ ୧୪ ବର୍ଷହେଲା, ଏହି ପ୍ରୟାସ ଜାରି ରଖିଛନ୍ତି ଏମାନେ ।
ପିପିଲି ରୁ ନଡ଼ିଆ କତା କିଣି ଆଣିବାକୁ ହୁଏ । ସେ ସବୁକୁ ଆବଶ୍ୟକ ଅନୁସାରେ, ରଙ୍ଗୀନ୍ ସୁତା, ମଖମଲ୍ କନା ଓ ଚୁମୁକି ଲଗାଇ ହାତୀ, ମୟୂର, ହରିଣ, ଘୋଡ଼ା, କଇଁଛ ଏବଂ ବାଇ ଚଢେଇ ବସା ଭଳି ବିଭିନ୍ନ ଉପକରଣ ତିଆରି କରିଥାନ୍ତି । ଏଥିରେ କୈାଣସି ରସାୟନିକ ରଙ୍ଗ କିମ୍ବା ହାନିକାରକ ଜିନିଷ ବ୍ୟବହାର ହୋଇନଥାଏ । ଏଭଳି ମନଲୋଭା କଳିକୃତିକୁ, ଘରେ ସଜେଇ ରଖିବା ଏବଂ ପିଲାଙ୍କ ଖେଳନା ପାଇଁ ଲୋକେ ଆଗ୍ରହର ସହ କିଣି ନେଇଥାନ୍ତି । ଏହା ବ୍ୟତୀତ ଗ୍ରାହକ ମାନେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ, ଉପହାର ସ୍ବରୂପ ଦେଇଥାନ୍ତି ଏହି କତା କଣ୍ଢେଇକୁ ।
କତା ରୁ କଣ୍ଢେଇ ତିଆରି କରି, ନୂଆ ପରିଚୟ ସୃଷ୍ଟି କରିଛନ୍ତି ଏହି ସ୍ବୟଂ ସହାୟିକା ଗୋଷ୍ଠୀର ୩୦ ଜଣ ମହିଳା । ଏଣୁ ଆଗକୁ ଏହି ପ୍ରୟାସ ଜାରି ରହିବାପାଇଁ, ଆଉ କିଛି ଅର୍ଥ ଆବଶ୍ୟକ ମଧ୍ୟ ରହିଥିବା କୁହାଯାଇଛି । ଏପରିକି ବିନା ସୁଧରେ ଋଣ ଯୋଗାଇଦେବା ସହ ସରକାରଙ୍କ ପକ୍ଷରୁ ମହିଳା ସଂଘ ଘରଟିଏ ତିଆରି କରିଦେବା ପାଇଁ, ଦାବୀ ରଖିଛନ୍ତି ସଦସ୍ୟା ମାନେ । ଅନ୍ୟପକ୍ଷରେ ଉକ୍ତ ମହିଳା ସଂଘର ଦାବୀ ପ୍ରକାରେ ସରକାରୀ ସ୍ତରରେ ଯଥା ସମ୍ଭବ ସହଯୋଗ କରାଯିବ ବୋଲି କହିଛନ୍ତି ଭଂଜନଗର ଉପଜିଲ୍ଲାପାଳ । ନିଜର ଅନ୍ତର୍ନିହିତ କଳା-କୈାଶଳ ଏବଂ ଇଛାଶକ୍ତି ଏମାନେଙ୍କୁ ନୂଆ ପରିଚୟ ଦେଇଛି । କେବଳ ସେତିକି ନୁହେଁ, ଅନ୍ୟକୁ ପ୍ରେରଣା ମଧ୍ୟ ଦେଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୪----୮,୩୫ Sakhigopal News,9/11/2024

Blog Archive

Popular Posts