Breaking News

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କୋଣାର୍କ----- କୋଣାର୍କ ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକରୂପେ ପରିଚିତ ଖରାଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପିନାଥ ଜେନାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଖିଳ ଉକ୍ରଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ପୁରୀ ଜିଲ୍ଲା ସଭାପତି ସୁଶାନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ ।  ଗୋପ ମଣ୍ଡଳର ଅତିରିକ୍ତ ଶିକ୍ଷାଧିକାରୀ ବ୍ରଜବନ୍ଧୁ ବେହେରା ମୁଖ୍ୟ ଅତିଥି,  ବ୍ଲକ୍ ଶିକ୍ଷକ ସମନ୍ୱୟ ସମିତିର ସଭାପତି ଶିବଦତ୍ତ ନାୟକ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥିରୂପେ ଶିକ୍ଷକ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସାହୁ, ସିଆରସିସି ରବୀନ୍ଦ୍ରନାଥ ବାହିନୀପତି, ବରିଷ୍ଠ ନାଗରିକ ଲକ୍ଷ୍ମୀଧର ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ ସଙ୍ଘର ସମ୍ପାଦକ ଯୁବରାଜ ବିଶ୍ୱାଳ, ପ୍ରାଧ୍ୟାପକ ସୁଧୀରଚନ୍ଦ୍ର ଭୂୟାଁ, ସମାଜସେବୀ ହରିଶ୍ଚନ୍ଦ୍ର ଦାଶ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା କାଣ୍ଡି ଓ ପ୍ରଧାନଶିକ୍ଷୟିତ୍ରୀ ନିରୁପମା ଖୁଣ୍ଟିଆ ଯୋଗଦେଇ ଗୋପି ସାରଙ୍କର ଗୁଣଗାନ କରିଥିଲେ । ଦୀର୍ଘ ୨୬ବର୍ଷ ଧରି ଖରାଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଅବସରରେ ଗୋପି ସାର୍ ଗ୍ରାମବାସୀଙ୍କର ପରିବାର ସଦସ୍ୟ ଭଳି ଉତ୍ତମ ସମ୍ପର୍କ ସ୍ଥାପନ କରିଥିବା ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଶିକ୍ଷକ ସମନ୍ୱୟ ସମିତି ଓ ମା ଖଣ୍ଡୁଆଳି କ୍ଲବର କର୍ମକର୍ତ୍ତାମାନେ ଗୋପି ସାରଙ୍କୁ ଉତ୍ତରୀୟ, ମାନପତ୍ର ଓ ବହୁବିଧ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ଗନ୍ଧର୍ବ ସେନାପତି ସମ୍ବର୍ଦ୍ଧନା ସଭାକୁ ସଂଯୋଜନା କରିଥିଲେ । ସଭା ଶେଷରେ ଗ୍ରାମବାସୀମାନେ ଗୋପି ସାରଙ୍କୁ ବିଶାଳ ଶୋଭାଯାତ୍ରାରେ ନେଇ ତାଙ୍କର କୋଣାର୍କସ୍ଥିତ ବାସଭବନରେ ଛାଡିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ  

Popular Posts